ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ରାଜନୈତିକ ମହଲରେ ଏବେ ସରଗରମ ଚର୍ଚ୍ଚା । ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ Xର ପ୍ରୋଫାଇଲରେ ହୋଇଥିବା ପରିବର୍ତ୍ତନ ପରେ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଚାଲିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଳରୁ କିମ୍ବା ଶେହଜାଦ ପୁନାୱାଲଙ୍କ ପକ୍ଷରୁ ଇସ୍ତଫା ସମ୍ପର୍କରେ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ ।
ସୂଚନାନୁଯାୟୀ, ଶେହଜାଦ ପୁନାୱାଲା ତାଙ୍କ ଆକାଉଣ୍ଟ ପ୍ରୋଫାଇଲ X ଅପଡେଟ୍ କରିଛନ୍ତି । କିନ୍ତୁ ଏପରି କରିବାର କାରଣ ସମ୍ପର୍କରେ ସେ କିଛି ସ୍ପଷ୍ଟ କରି ନାହାନ୍ତି । ତଥାପି ସେ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନବ୍ୟାପୀ ଅନୁଗାମୀ ଭାବରେ ଉଲ୍ଲେଖ କରିଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କୌଣସି ଏକ ରିପୋର୍ଟରୁ ସୂଚନା ମିଳିଛି । ହେଲେ ବିଜେପି କିମ୍ବା ଶେହଜାଦଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ଅନ୍ୟପଟେ କିଛି ଦିନ ଧରି ଶେହଜାଦ ପୁନାୱାଲା ତାଙ୍କ X ଆକାଉଣ୍ଟରେ ଭିଡିଓ ସେୟାର କରୁଥିଲେ । ଯାହା ସକ୍ରିୟ ରାଜନୀତିରୁ ଆଗକୁ ବଢ଼ିବା ନେଇ ତାଙ୍କର ଉଦ୍ଦେଶ୍ୟକୁ ସୂଚାଉଥିଲା । ସେ କ୍ୟାପସନ ବିନା ତାଙ୍କର ପୁରୁଣା ଇଣ୍ଟରଭ୍ୟୁର ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ରାଜନୀତି ଏବଂ ସାର୍ବଜନୀନ ଜୀବନ ଉପରେ ତାଙ୍କର ଚିନ୍ତାଧାରା ସେୟାର କରିଥିଲେ ।
ସେ ନିଜର କିଛି ପୁରୁଣା ଇଣ୍ଟରଭ୍ୟୁ ଭିଡିଓ ପୋଷ୍ଟ କରିଛନ୍ତି । ଗୋଟିଏ ଭିଡିଓରେ ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ହିଁ ସେ ସକ୍ରିୟ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନ ପାଇଁ ରହିଯାଇଥିଲେ । ଏବେ ସେ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ଭାବୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣା, ବିହାର ଏବଂ ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ।

