ନୂଆପଡ଼ା: ଉଦନ୍ତୀ ନଦୀ ପାଣିରେ ଭାସିଗଲେ ଯୁବକ । ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତି ନଦୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକ ହେଉଛନ୍ତି ସିନାପାଲି ଥାନା ଅନ୍ତର୍ଗତ ଡୁମେରବାହାଲ ଗାଁ ର ରାଜେଶ କୁମାର ଚିନ୍ଦା।
ସୂଚନାନୁଯାୟୀ, ରାଜେଶ ଜାଲ ଧରି ଉଦନ୍ତି ନଦୀରେ ମାଛ ଧରିବାକୁ ଯାଇଥିଲେ । ହେଲେ ମାଛ ମାରିବା ସମୟରେ ନଦୀର ବନ୍ୟାଜଳ ସ୍ରୋତରେ ଭାସି ଯାଇ ନିଖୋଜ ଅଛନ୍ତି। ରାଜେଶଙ୍କ ପରିବାର ପକ୍ଷରୁ ସିନାପାଲି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ। ଖବରପାଇ ସିନାପାଲି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ହେଲେ ନିଖୋଜ ଯୁବକର କୌଣସି ପତ୍ତା ମିଳି ନାହିଁ ।
ଅନ୍ୟପଟେ ତେଣୁ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀକୁ ମାଛ ଧରିବା କିମ୍ବା ଅନ୍ୟ କାମରେ ଯାଉଥିବା ଲୋକଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ।

