ୟୁନେସ୍କୋ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Mohan Majhi

ଭୁବନେଶ୍ୱର: ୟୁନେସ୍କୋ ତାଲିକାରେ ରଥଯାତ୍ରା ପାଇଁ ସ୍ଥାନ । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋର ‘ଇଣ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ଅଫ୍ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପକୁ ଆହୁରି ଜୋରଦାର କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ରଥଯାତ୍ରାର ନାମାଙ୍କନ ପ୍ରକ୍ରିୟାକୁ ଶୀଘ୍ର ଆଗକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି ।

ଅଗଷ୍ଟ ୧ ତାରିଖରେ ଲିଖିତ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୟୁନେସ୍କୋ ନାମାଙ୍କନ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ଓ ପ୍ରସ୍ତାବ ନିର୍ଦ୍ଧାରିତ ଫର୍ମାଟରେ ପୂର୍ବରୁ ଦାଖଲ କରିସାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ଏହା ଭାରତର ପ୍ରାଚୀନ ସଭ୍ୟତା, ସାଂସ୍କୃତିକ ବିବିଧତା, ସମାବେଶୀ ପରମ୍ପରା, ଆଧ୍ୟାତ୍ମିକତା, କାରିଗରୀ କଳା, ସଙ୍ଗୀତ, ନୃତ୍ୟ ଓ ଜନସହଭାଗିତାର ଏକ ଅଦ୍ୱିତୀୟ ପ୍ରତୀକ । ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ପରମ୍ପରା ପ୍ରତିବର୍ଷ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ଆକର୍ଷିତ କରୁଛି । ଚିଠିରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରି ସଂସ୍କୃତି ମନ୍ତ୍ରଣାଳୟ ସ୍ତରରେ ପ୍ରସ୍ତାବର ଶୀଘ୍ର ବିଚାର କରାଇବା ଏବଂ ୟୁନେସ୍କୋ ନିକଟରେ ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । ଆବଶ୍ୟକ ହେଲେ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ ଯୋଗାଇବ ବୋଲି ମଧ୍ୟ ସେ ଆଶ୍ୱାସନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ରଥଯାତ୍ରା ୟୁନେସ୍କୋର ସ୍ୱୀକୃତି ପାଇଲେ ଏହି ଅନନ୍ୟ ଐତିହ୍ୟ ବିଶ୍ୱସ୍ତରରେ ଅଧିକ ପରିଚିତ ହେବା ସହ ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ଓ ପ୍ରଚାରକୁ ମଧ୍ୟ ବଳ ମିଳିବ ।

Share