ଅଫିସ୍ ପରିସରରୁ ଆବାସିକ କ୍ୱାଟର, ବାରାକ୍ ଏବଂ ବ୍ୟକ୍ତିଗତ ବୈଦ୍ୟୁତିକ ଗାଡ଼ି (EV) ଚାର୍ଜିଂ ପାଇଁ ହେଉଥିବା ଗେଆଇନ ବୈଦ୍ୟୁତିକ ସଂଯୋଗକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେତେକ ସ୍ଥାନରେ ପୋଲିସ କାର୍ଯ୍ୟାଳୟ ପାଇଁ ଆସୁଥିବା ମୁଖ୍ୟ ବିଦ୍ୟୁତ ଲାଇନରୁ ବେଆଇନ ଭାବେ ଆବାସିକ କ୍ୱାର୍ଟର ଏବଂ ବ୍ୟାରାକକୁ ସଂଯୋଗ ଦିଆଯାଉଥିବା ଅଭିଯୋଗ ପରେ ଏହି ଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି।
ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ପୋଲିସ କାର୍ଯ୍ୟାଳୟ ମୁଖ୍ୟମାନେ ନିଜ ଅଧୀନସ୍ଥ ଅଞ୍ଚଳରେ ତୁରନ୍ତ ଏକ ଯାଞ୍ଚ ଅଭିଯାନ ଆରମ୍ଭ କରିବେ। ଯଦି କୌଣସି ସ୍ଥାନରେ ଅଫିସ୍ ଲାଇନରୁ କ୍ୱାର୍ଟରକୁ ବେଆଇନ ସଂଯୋଗ କିମ୍ବା ଅନଧିକୃତ ଭାବେ ବିଦ୍ୟୁତ ଦୁରୁପଯୋଗ ହେଉଥିବା ନଜରକୁ ଆସେ, ତେବେ ତୁରନ୍ତ ସେହି ସଂଯୋଗକୁ ବିଚ୍ଛିନ୍ନ କରାଯିବ। ଏଥି ସହିତ ଏହି ନିୟମକୁ ଅମାନ୍ୟ କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।
