ଅଧ ରାତିରେ ଘରେ ପଶିଲା ହାତୀ, ୪ ଆହତ

Elephant terror

କଣ୍ଟାବାଞ୍ଜି : ହାତୀ ଭାଙ୍ଗିଦେଲା ଘର । ହାତୀ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଗତ ରାତିରେ ଲିଙ୍ଗରାଜ ଭୋଇଙ୍କ ଘର ଲୋକ ଶୋଇଥିଲାବେଳେ ହଠାତ୍ ହାତୀପଲ ଘର ଭିତରକୁ ପଶିଯାଇଥିଲେ । ହାତୀମାନଙ୍କ ଉପଦ୍ରବରେ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ଘର ଭିତରେ ଥିବା ପରିବାର ଲୋକେ ପ୍ରାଣ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଅନ୍ୟପଟେ ଏହି ଘଟଣା ପରେ ସର୍ଗୁଲ ଗାଁରେ ଭୟର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକେ ହାତୀ ଉପଦ୍ରବରୁ ସୁରକ୍ଷା ଏବଂ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇବାକୁ ସରକାର ଓ ବନ ବିଭାଗ ନିକଟରେ ଦାବି କରିଛନ୍ତି ।

Share