କଟକରେ ବିଜେପିର ବିଶାଳ ପଦଯାତ୍ରା: ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାରାରେ କମ୍ପିଲା ସହର; ସାମିଲ ହେଲେ ସୁଧାଂଶୁ ତ୍ରିବେଦୀ ଓ ମନମୋହନ ସାମଲ

2

କଟକ (ବିକ୍ରମ କିଶୋର ସେନାପତିଙ୍କ ଠାରୁ) :  ଐତିହାସିକ କଟକ ସହରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆଜି ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଆହ୍ୱାନରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦଳୀୟ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ତଥା ରାଜନୈତିକ ଅରାଜକତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ଅବସରରେ ଦଳ ପକ୍ଷରୁ ଦୃଢ଼ ସଂକଳ୍ପ ନିଆଯାଇଥିଲା।

6dc290f2 8ff4 4caa a9aa 8c5611a48e6f

କଟକର କଲେଜ ଛକଠାରୁ ଅପରାହ୍ନ ୩ଟାରେ ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ଯାତ୍ରା ଆରମ୍ଭ ପୂର୍ବରୁ ନେତୃବୃନ୍ଦ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ଦଳୀୟ କର୍ମୀମାନେ ହାତରେ ଦଳୀୟ ପତାକା ଧରି ବିଭିନ୍ନ ନାରାବାଜି ସହ ଦୋଳମୁଣ୍ଡାଇ ଛକ ଅଭିମୁଖେ ଅଗ୍ରସର ହୋଇଥିଲେ। ପଦଯାତ୍ରାରେ ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସମେତ କଟକ ନଗର ଓ ଜିଲ୍ଲାର ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ପଦଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସୁଧାଂଶୁ ତ୍ରିବେଦୀ। ଏହି ଗସ୍ତ କାଳରେ ଶ୍ରୀ ତ୍ରିବେଦୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ସେଠାରେ ସେ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କ ରାଜନୈତିକ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିବା ସହ ଦେଶର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଭ୍ରମ ସୃଷ୍ଟି କରିବା ପରିବର୍ତ୍ତେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ସମସ୍ତେ ଆସ୍ଥା ପ୍ରକଟ କରିବା ଉଚିତ ବୋଲି ସେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ରହି ଦଳର କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ତୃଣମୂଳସ୍ତରରେ ସାଂଗଠନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦଳର ଆଭିମୁଖ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପଦଯାତ୍ରା ଏକ ବଡ଼ ମାଧ୍ୟମ ସାଜିଛି। କଟକରେ ବିଜେପି ପକ୍ଷରୁ ଆୟୋଜିତ ଏହି ବିଶାଳ ଶକ୍ତି ପ୍ରଦର୍ଶନ ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Share