ହର୍ମୁଜରେ ଭାରତୀୟ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଇରାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା

Hormuz

ତେହରାନ : ତୈଳ ପରିବହନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି। ହର୍ମୁଜ ପ୍ରଣାଳୀ ଉପରେ ଇରାନ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଏହି ପଥ ଦେଇ ଚଳାଚଳ କରୁଥିବା ପଣ୍ୟବାହୀ ଜାହାଜ ତା’ ଅନୁମତି ମାଗିବାକୁ ଇରାନ ତରଫରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଇରାନର ନିର୍ଦେଶ ମାନୁନଥିବା ଜାହାଜ ଉପରେ ଏକାଧିକ ବାର ଆକ୍ରମଣ ମଧ୍ୟ ହୋଇଥିବା ନଜର ରହିଛି।

ଇତିମଧ୍ୟରେ ହର୍ମୁଜ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଭାରତ, ଚୀନ୍‌, ଇରାକ ଓ କାତାରକୁ ଇରାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ କମିଟିର ଉପାଧ୍ୟକ୍ଷ ଆମିର ହୟାତ-ମୋଗାଦାମ୍‌ କହିଛନ୍ତି ଏହି ଚାରିଟି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ କୌଣସି କଟକଣା ନାହିଁ। ଭାରତରୁ ଔଷଧ ରପ୍ତାନି ଲକ୍ଷ୍ୟରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ରାଜନୈତିକ ସମର୍ଥନ ହାସଲ ଲକ୍ଷ୍ୟରେ ଚୀନ୍‌ ଜାହାଜକୁ ଏହି ସୁବିଧା ମିଳିବ ବୋଲି ସେ କହିଛନ୍ତି। ତେବେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଭାରତ ଓ ଚୀନ୍‌ ପଣ୍ୟବାହୀ ଜାହାଜ ଠାରୁ ଇରାନ ଶୁଳ୍କ ଆଦାୟ କରିବ ବୋଲି ସେ ସୂଚନା ଦେଇଥିବା ବେଳେ କାତାର ଜାହାଜ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ସୂଚନାଥାଉ କି ହର୍ମୁଜ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବିଦେଶୀ ଜାହାଜଗୁଡ଼ିକ ଉପରେ ଇରାନ ତରଫରୁ ତୀକ୍ଷ୍‌ଣ ନଜର ରଖାଯାଇଛି। ଏସବୁ ଜାହାଜ ନିଜ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା ସହ ଜାହାଜରେ ଥିବା ସାମଗ୍ରୀ ସମ୍ପର୍କିତ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ କରିଛି ଇରାନ। ଅନ୍ୟପକ୍ଷରେ ଭାରତ ନିମନ୍ତେ ହର୍ମୁଜ ପ୍ରଣାଳୀ ଦେଇ ମାଲ ପରିବହନ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଭାରତ ନିଜ ଆବଶ୍ୟକତାର ୯୦% ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରୁଥିବା ବେଳେ ସେଥିମଧ୍ୟରୁ ୩୦% ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ।

Share