ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କଳା ମାଟି ଗାଁରେ ଘଟିଥିଲା ଅଘଟଣ । ୬୦ ଫୁଟ ତଳେ ଫଶି ରହିଥିଲା ନାବାଳକ । କେନାଲର ପାଣି ଦେଖିବାକୁ ଆସି ଭୁଲରେ ସାଇଫନ ଭିତରେ ଖସିପଡିଥିଲା ନାବାଳକଟି । ତୁରନ୍ତ ଖବର ମିଳିବା ପରେ ଜେସିବି ସାହାଯ୍ୟରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ହେଲେ ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଛି ଶବ ।
କିଏ ଜାଣିଥିଲା ଆଜିର ସୂର୍ଯ୍ୟ ଉଦୟ ସ୍ଵରାଜ ପାଇଁ ଶେଷ ସୂର୍ଯ୍ୟ ଉଦୟ ହୋଇ ଆସିବ । ସକାଳ ପାଇବା ପରେ ସ୍ଵରାଜ ଆସିଥିଲା ବାପାଙ୍କ ସହିତ ଗ୍ରାମ ନିକଟରେ ପ୍ରବାହିତ କେନାଲର ପାଣି ଦେଖିବାକୁ । ସେଠାରେ ସେ ସାଇଫନରେ ପଡି ଭିତରକୁ ଚାଲି ଯାଇଥିଲା । ଏ ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ନିରୁପାୟ ହୋଇ ଶେଷରେ ଜେସିପି ସାହାଯ୍ୟରେ ସାଇଫନ ଭଙ୍ଗା ଚାଲିଥିଲା । ଘଟଣା ସ୍ଥଳରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡ଼ଃ ଜିତେନ୍ଦ୍ର କୁମାର ପାତ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଦମକଳ ବିଭାଗର ବଡ଼ ମଟର ପମ୍ପ ଆସି ସାଇଫନର ଜଳ ନିଷ୍କାସନ କରିବା ପରେ ଶେଷରେ ସ୍ୱରାଜର ମିଳିଥିଲା ମୃତଦେହ ।
ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଥିଲା ଶବ । ତେବେ ମୃତଦେହ ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି । ଏହି ଘଟଣାରେ କଳାମାଟି ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାଟି ସମଗ୍ର ଆଠମଲ୍ଲିକ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ସାଇଫନର ପ୍ରତିଷେଧକ ବ୍ୟବସ୍ଥା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳାକୁ ଦାୟୀ କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

