ଏହି ଘଟଣାକୁ ନେଇ ନୂଆଦିଲ୍ଲୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, “ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫଏସ ଗାଲାକ୍ସି ଉପରେ ଆକ୍ରମଣକୁ ଆମେ କଡ଼ା ନିନ୍ଦା କରୁଛୁ। ଜାହାଜରେ ଥିବା ୧୧ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇସାରିଛି ଏବଂ ଜଣେ ନିଖୋଜ ଥିବା ନେଇ ରିପୋର୍ଟ ମିଳିଛି।”
ନିଖୋଜ ଭାରତୀୟଙ୍କ ସନ୍ଧାନ ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି। ଓମାନର ରାଜଧାନୀ ମସ୍କାଟରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ସକ୍ରିୟ ସହଯୋଗ ପାଇଁ ଭାରତ ସରକାର ଓମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମିକୁ ବାରମ୍ବାର ଟାର୍ଗେଟ କରାଯିବା ଘଟଣା ଏବେ ଗଭୀର ଉଦବେଗର ବିଷୟ ପାଲଟିଛି। ଆନ୍ତର୍ଜାତୀୟ ଜଳପଥରେ ଏଭଳି ଆକ୍ରମଣ ତୁରନ୍ତ ବନ୍ଦ ହେବା ଦରକାର ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିନା ବାଧାରେ ବାଣିଜ୍ୟିକ ନୌଚଳାଚଳ ପୁଣି ସ୍ୱାଭାବିକ ହେବା ଉଚିତ୍ ବୋଲି ମନ୍ତ୍ରଣାଳୟ ନିଜ ବିବୃତ୍ତିରେ ଦାବି କରିଛି।

