B2f305c1 c5fe 4fd0 9818 732ff09eca8d 750x430

ଭୁବନେଶ୍ବର: ସିସୋର ଆର୍ଥିକ ହେରଫେର ମାମଲାରେ ଫସିଥିବା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଚାଲିଥିବା ମାମଲାରେ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଅତିରିକ୍ତ ଅଭିଯୋଗ ଦାୟର କରିଛି।
ସୂଚନା ଅନୁସାରେ, ଗତ ଅଗଷ୍ଟ ୧୪ ତାରିଖରେ କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ତାଙ୍କର ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ବାଳ, ସିସୋର ସିକ୍ୟୁରିଟିଜ୍ ଲିମିଟେଡ୍, ସିସୋର ମଲ୍ଟିପରପୋଜ୍ କୋଅପରେଟିଭ୍‌ ଲିମିଟେଡ୍‌ ଏବଂ ଏହି କଂପାନିର ଦୁଇ ଜଣ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ ଓ ପ୍ରଭାତ କୁମାର ଦାଶ ଏବଂ ଅନ୍ୟ ୩ ଜଣଙ୍କ ନାମରେ ଭୁବନେଶ୍ବର ସ୍ପେଶାଲ କୋର୍ଟ (ପିଏମଏଲଏ)ରେ ଦ୍ବିତୀୟ ଅତିରିକ୍ତ ଅଭିଯୋଗ ଦାୟର କରିଛି। ମାନ୍ୟବର କୋର୍ଟ ପ୍ରବର୍ତ୍ତନ ଅଭିଯୋଗକୁ ଗ୍ରହଣ କରିଛନ୍ତି।
ରାଜ୍ୟର ବହୁଚର୍ଚ୍ଚିତ ପ୍ରାୟ ୫ ଶହ କୋଟି ଟଙ୍କାର ସିସୋର୍ ଚିଟଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଚାର୍ଜଫ୍ରେମ୍ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଗତ ୨୪ ତାରିଖ ଦିନ ସ୍ବତନ୍ତ୍ର ସିବିଆଇ କୋର୍ଟ-୧ରେ ଚାର୍ଜଫ୍ରେମ୍ ହୋଇଛି। ଆଇପିସି ଦଫା-୧୨୦(ବି), ୪୨୦, ୪୬୭, ୪୬୮, ୪୭୧ରେ ଚାର୍ଜଫ୍ରେମ୍ କରାଯାଇଛି। ପ୍ରଭାତ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ଗତ ରବିବାର ଦିନ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ବିରୋଧରେ ଥିବା ଅପରାଧ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ସିସୋର୍ କମ୍ପାନିରୁ ପ୍ରଭାତ ଓ ପତ୍ନୀ ଲକ୍ଷ୍ମୀବିଳାସିନୀ ଆର୍ଥିକ ଅନୁକମ୍ପା ପାଇଥିବା ନେଇ ଅଭିଯୋଗ ରହିଥିଲା। ସିସୋର କମ୍ପାନି ମୁଖ୍ୟ ପ୍ରଶାନ୍ତ ଦାଶ ଗିରଫ ହେବା ପରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଚୁକ୍ତିନାମା ଜବତ କରିଥିଲା ସିବିଆଇ। ପ୍ରଭାତ ଚୌଦ୍ବାର-କଟକ ବିଧାୟକ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିଥିଲେ ତଦନ୍ତକାରୀ ଟିମ୍। ପ୍ରଭାତ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିବା ସହ ଆଉ କିଛି ଆବଶ୍ୟକ କାଗଜପତ୍ର ଜବତ ହୋଇଥିଲା। ପ୍ରମାଣ ଏକାଠି କରିବା ପରେ ୨୦୧୭ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ପ୍ରାୟ ୯ ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଥିଲେ ପ୍ରଭାତ। ଅଭିଯୋଗ ଥିଲା ଯାଜପୁରରେ ସିସୋର୍ ଏମଡି ପ୍ରଶାନ୍ତ ଦାଶ ଏକ ଜମି କିଣିବାକୁ ଚାହିଁଥିଲେ। ସେହି ଜମିର ମାଲିକାନା ଲକ୍ଷ୍ମୀବିଳାସିନୀଙ୍କ ନାଁରେ ରହିଥିଲା। ଜମି କିଣାବିକା ନେଇ ୨୫ ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ପ୍ରସ୍ତୁତ ହୋଇଥିଲା। ପ୍ରଶାନ୍ତଙ୍କ ଆକାଉଣ୍ଟରୁ ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ୯ ଲକ୍ଷ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ପରବର୍ତ୍ତୀ ସମୟରେ ଜମି କିଣାବିକା ହୋଇ ନ ଥିଲା। ପ୍ରଶାନ୍ତ ଦାଶ ୯ ଲକ୍ଷ ଟଙ୍କା ଫେରସ୍ତ ପାଇ ପାରି ନ ଥିଲେ। ସିବିଆଇ ଏହି ତଥ୍ୟ ପାଇବା ପରେ ପ୍ରଭାତ ବିଶ୍ବାଳଙ୍କୁ ଗିରଫ କରିଥିଲା।

Share