20079698 23b4 4558 956f 9d60a33b7e6d 750x430

ବରଗଡ଼: ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର କାସଗଂଜ ଜିଲ୍ଲା ଢୋଲନା ଥାନା ଅଧିନ ହୋରିୟାଥର ଗାଁର ବୀରପାଳ ସିଂହ, ଝକିରା ଗାଁର ବବଲେଶ କୁମାର, ନଗଲାଥନ ଗାଁର ରବିକାନ୍ତ, ସୁକୁଡା ରାଜସ୍ବ ନିରୀକ୍ଷକ ସଂଦୀପ କୁମାର ଶତପଥୀ ଓ ଦୁମେଲପାଲି ସରପଞ୍ଚ ମନୋରଂଜନ ଦୋରା।
ବରଗଡ଼ ଜିଲ୍ଲା ଭଟଲି ଥାନା ଏସ୍‌ଆଇ ପଦ୍ମାବତୀ ମିର୍ଦ୍ଧାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ଅର୍ଥ ଲୋଭରେ ଅଭିଯୁକ୍ତମାନେ ନକଲି ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ପ୍ରମାଣ ପତ୍ର ଓ ଚରିତ୍ର ପ୍ରମାଣ ପ୍ରସ୍ତୁତ କରୁଥିଲେ। ଉତ୍ତର ପ୍ରଦେଶର ୩ ଅଭିଯୁକ୍ତଙ୍କୁ ରାଜସ୍ବ ନିରୀକ୍ଷକ ଶ୍ରୀ ଶତପଥୀ ଓ ସରପଞ୍ଚ ଶ୍ରୀ ଦୋରା ସହଯୋଗ କରୁଥିଲେ। ପୁଲିସ ତଦନ୍ତରେ ସମୟରେ କିଛି ପ୍ରମାଣକୁ ଭିତ୍ତି କରି ସୁକୁଡ଼ା ଆରଆଇ ସନ୍ଦୀପ ଶତପଥୀ, ସୁକଡ଼ା ସରପଞ୍ଚ ମନୋରଞ୍ଜନ ଦୋରା, ଉତ୍ତରପ୍ରଦେଶର ବୀରପାଲ ସିଂ, ବବଲେଶ କୁମାର ଓ ରବିକାନ୍ତଙ୍କୁ ଗିରଫ କରିଛି।

ପୁଲିସ ଜାଣିବାକୁ ପାଇଛି ଯେ, ଉତ୍ତର ପ୍ରଦେଶ କସଗଞ୍ଜ ଜିଲାର ତିନି ଜଣ ଯୁବକ ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ାର ଆର ଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ନାମରେ ସ୍ଥାୟୀ ନିବାସ, ଚରିତ୍ର ଓ ଜାତିଗତ ପ୍ରମାଣ ପତ୍ର ନେଇ ସରକାରୀ ଚାକିରି ପାଇଁ ଆବେଦନ କରିଥିବା ବେଳେ ଯାଞ୍ଚ ସମୟରେ ଧାରା ପଡ଼ିଥିଲେ।

Share