8c64f48e 5622 457e 98fb bc9ead3b8e6c 750x430

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ବାଙ୍କ ନିକଟରେ ଏକ ବୋଲେରୋ ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ନିକଟସ୍ଥ ଟିକିରା ଗ୍ରାମର ଦେବବ୍ରତ ନାଏକ (୨୦) ବୋଲି ଜଣାପଡିଛି । ସେ ବାଇକ୍ ଯୋଗେ ଢେଙ୍କିକୋଟରୁ କେତାଙ୍ଗ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଭଣ୍ଡା ଅଞ୍ଚଳରୁ ଢେଙ୍କିକୋଟ ଆଡକୁ ଆସୁଥିବା ଏକ ବୋଲେରୋ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ରେ ତାଙ୍କ ମୁଣ୍ଡ ଓ ଛାତି ରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ମୃତକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ସୂଚନା ଦେବା ସହ ଦୁର୍ଘଟଣାରେ ଜଡ଼ିତ ବାଇକ ଓ ବୋଲେରୋକୁ ଜବତ କରାଯାଇଥିବା ସେ କହିଛନ୍ତି।

Share