Ma

ମୁମ୍ବାଇ: ଇ-ମେଲ୍‌ ମାଧ୍ୟମରେ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ପାଇଥିବା କଥା ଆଜି ମୁମ୍ବାଇ ପୁଲିସ କହିଛି।
୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍‌ରେ କୋଟିପତି ମୁକେଶଙ୍କୁ କୁହାଯାଇଛି ବୋଲି ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି।
ଇ-ମେଲ୍‌ରେ ଉଲ୍ଲେଖ ଅଛି: ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ, ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ଲକ୍ଷ୍ୟଭେଦୀ ଗୁଳି ଚାଳନାକାରୀ (ସୁଟର୍‌) ଅଛନ୍ତି।
ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଗାମଦେବୀ ପୁଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖ‌ଯୋଗ୍ୟ, ହତ୍ୟା ଧମକ ପାଇବା ମୁକେଶଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ।
ଗତବର୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ ଯୋଗ‌େ ହତ୍ୟା ଧମକ ଦେଇଥିବା ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବ୍ୟକ୍ତିଜଣକ ଥିଲେ ରାକେଶ କୁମାର ମିଶ୍ରା ନାମରେ ଜଣେ ବେକାର ବ୍ୟକ୍ତି। ସେ ମୁକେଶଙ୍କ ପରିବାରବର୍ଗ ଓ ମୁମ୍ବାଇରେ ଥିବା ‘ସାର୍‌ ଏଚ୍‌ଏନ୍‌ ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌ ହସ୍ପିଟାଲ୍‌’କୁ ବୋମା ପକାଇ ଧ୍ବଂସ କରିଦେବି ବୋଲି ଧମକାଇ ଥ‌ିଲେ।
ସେହିପରି, ୨୦୨୧ରେ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ମୁକେଶଙ୍କ ବାସଭବନ ‘ଆଣ୍ଟିଲିଆ’ ବାହାରେ ୨୦ଟି ବିସ୍ଫୋରକ ‌‘ଜେଲାଟିନ୍‌ ଷ୍ଟିକ୍‌’ ଥିବା ଗୋଟାଏ ସ୍କର୍ପିଓ କାର୍‌ରୁ ମଧ୍ୟ ଏକ ଧମକ-ପତ୍ର ଉଦ୍ଧାର କରାଯାଇଥିଲା। ସେଥିରେ ଲେଖାଯାଇଥିଲା: ଏ ‌ହେଉଛି କେବଳ ‌‘ଟ୍ରେଲର୍‌’।

Share