ନୂଆଦିଲ୍ଲୀ : ହେଲିକପ୍ଟର କ୍ରାଶ୍ ରେ ୧୪ ମୃତ । ସାଉଦି ଆରାମକୋର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ପ୍ରମୁଖ ତୈଳ କମ୍ପାନୀ ‘ସାଉଦି ଆରାମକୋ ଦ୍ବାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ ତାନୁରା ଅଞ୍ଚଳରେ ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଦୁର୍ଘଟଣାର ପ୍ରକୃତ ସମୟ ଓ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାରସ୍ୟ ଉପସାଗର ଉପକୂଳରେ ଅବସ୍ଥିତ ରାସ୍ ତାନୁରା ହେଉଛି ଆରାମକୋର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର, ଯେଉଁଠାରେ ବିଶ୍ୱର ଅନ୍ୟତମ ବୃହତ୍ତମ ତୈଳ ବିଶୋଧନାଗାର ଏବଂ ରପ୍ତାନି ଟର୍ମିନାଲ୍ ରହିଛି। ସୂଚନା ଅନୁଯାୟୀ, ହେଲିକପ୍ଟରଟି କମ୍ପାନୀର ନିୟମିତ କାର୍ଯ୍ୟ କିମ୍ବା କର୍ମଚାରୀଙ୍କୁ ସମୁଦ୍ର ମଧ୍ୟରେ ଥିବା ଅଫ୍ ସୋର୍ କ୍ଷେତ୍ରକୁ ନେବାଆଣିବା କାମରେ ନିୟୋଜିତ ଥିଲା।
ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ କେହି ଜୀବିତ ନଥିଲେ। ମୃତକଙ୍କ ମଧ୍ୟରେ ହେଲିକପ୍ଟରର କ୍ରୁ ସଦସ୍ୟ ଏବଂ ଆରାମକୋର କର୍ମଚାରୀ ଥିବା ଆଶଙ୍କା । ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ସାଉଦି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଯାନ୍ତ୍ରିକ ତ୍ରୁଟି, ଖରାପ ପାଗ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଏହା ଘଟିଛି କି ନାହିଁ, ତାହାର ଯାଞ୍ଚ ଚାଲିଛି। ଆରାମକୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଆସିନାହିଁ ।
କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ସେହି ଅଞ୍ଚଳରେ ତୈଳ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁ ରହିଛି। ବିଶ୍ୱ ଶକ୍ତି ବଜାର ପାଇଁ ରାସ୍ ତାନୁରା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ସାଉଦି ଆରବର ଅଧିକାଂଶ ଅଶୋଧିତ ତୈଳ ରପ୍ତାନି ଏହିଠାରୁ ହିଁ ହୋଇଥାଏ। ତେଣୁ ଏହି ଅଞ୍ଚଳରେ ଘଟୁଥିବା ଯେକୌଣସି ଛୋଟବଡ଼ ଘଟଣା ଉପରେ ସାରା ବିଶ୍ୱର ନଜର ରହିଥାଏ। ସମୁଦ୍ର ଭିତରେ ଥିବା ପ୍ଲାଟଫର୍ମଗୁଡ଼ିକୁ କର୍ମଚାରୀ ପଠାଇବା ଏବଂ ନିରୀକ୍ଷଣ ପାଇଁ ଆରାମକୋର ଏକ ବଡ଼ ବିମାନ ଶାଖା ରହିଛି। ସାଉଦି ସିଭିଲ୍ ଆଭିଏସନ୍ ଅଥରିଟି ଏବଂ ଆରାମକୋର ସୁରକ୍ଷା ଟିମ୍ ମିଳିତ ଭାବେ ଏହି ଘଟଣାର ତଦନ୍ତ କରୁଛନ୍ତି।

