Pm modi

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଦେଶବାସୀଙ୍କୁ କହିଛନ୍ତି।

ଏହି ସଙ୍ଗଠନ ଦେଶ ଗଠନ ଲାଗି ବିଭିନ୍ନ କାର୍ଯ୍ୟକ୍ରମରେ ଭାରତର ଯୁବାମାନଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରିବା ଲାଗି ସୁଯୋଗ ଯୋଗାଇ ଦେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଅକ୍ଟୋବର ୩୧ ହେଉଛି ସର୍‌ଦାର୍‌ ସାହେବଙ୍କ ଜନ୍ମବାର୍ଷିକୀ। ଦେଶ ଏହାକୁ ‘ଏକତା ଦିବସ’ ଭାବେ ପାଳନ କରେ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ।

ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବ‌େଳେ ‘ମନ୍‌ କୀ ବାତ୍‌’ର ଏହି ସଂସ୍କରଣ ପ୍ରସାରିତ ହେଉଛି। ଆଗାମୀ ପର୍ବପର୍ବାଣି ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ। ପର୍ବପର୍ବାଣି ସମୟରେ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଉପରେ ପ୍ରାଧାନ୍ୟ ଦେଇ ‘ଆତ୍ମନିର୍ଭର ଭାରତ’ର ଅଭିଳାଷ ସାକାର କରନ୍ତୁ। ସ୍ଥାନୀୟ ସାମଗ୍ରୀ କିଣିବା ଲାଗି ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରୁଛି। ବନ୍ଧୁଗଣ, ଆଜି ମୁଁ ଗୋଟାଏ ଅନୁରୋଧ ଅତ୍ୟନ୍ତ ଗରୁତ୍ବସହକାରେ ପୁନଃରାବୃତ୍ତି କରୁଛି। ବୁଲାବୁଲି କରିବାକୁ ଯାଆନ୍ତୁ କି, ତୀର୍ଥ କରି ଯାଆନ୍ତୁ, ସ୍ଥାନୀୟ କାରିଗରଙ୍କଦ୍ବାରା ଉତ୍ପାଦିତ ସାମଗ୍ରୀ ଖରିଦ କରନ୍ତୁ।

ଏହି ସବୁ ସାମଗ୍ରୀ ଖରିଦ କରିବା ବେଳେ ଆମ ଦେଶର ଗୌରବ ‘ୟୁପିଆଇ’ ଡିଜିଟାଲ୍‌ ପେମେଣ୍ଟ୍‌ ସିଷ୍ଟମ୍‌ରେ ଦେୟ ପୈଠ କରନ୍ତୁ। ଏହାକୁ ଆପଣଙ୍କ ଜୀବନର ଅଭ୍ୟାସରେ ପରିଣତ କରିବା ସହିତ ସେ ଉତ୍ପାଦ ଓ ତା’ର କାରିଗରଙ୍କ ସହିତ ‘ସେଲ୍‌ଫି’ ଉତ୍ତୋଳନ କରି ‘ଭାରତରେ ନିର୍ମିତ ସ୍ମାର୍ଟଫୋନ୍‌’ରେ ‘ନମୋଆପ୍‌’ରେ ମୋତେ ‘ସେୟାର୍‌’ କରନ୍ତୁ। ସେଥିରୁ ମୁଁ କେ‌ତୋଟିକୁ ସାମାଜିକ ଗଣମାଧ୍ୟମରେ ‘ସେୟାର୍‌’ କରିବି। ଫଳରେ ଲୋକେ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ପ୍ରତି ପ୍ରେରିତ ହୋଇପାରିବେ।

ସେ କହିଛନ୍ତି, ସମଗ୍ର ଦେଶରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଗତ ଅଢ଼େଇବର୍ଷ ହେବ ଚାଲିଛି। ଚଳିତ ଅକ୍ଟୋବର ୩୧ରେ ତାହାକୁ ଉଦ୍‌ଯାପନ କରାଯିବ। ଏହାକୁ ଆପଣମାନେ ବିଶ୍ବର ସବୁଠୁ ଦୀର୍ଘତମ ମହୋତ୍ସବ ଭାବେ ଅଭିହିତ କରିଛନ୍ତି।

ଅକ୍ଟୋବର ୩୧ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁବାର୍ଷିକୀ। ତାଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବାବେଗକୁ ନିବିଡ଼ କରିବାରେ ଆମ ସାହିତ୍ୟ ହେଉଛି ସର୍ବୋତ୍ତମ ମାଧ୍ୟମଗୁଡ଼ିକରୁ ଗୋଟିଏ। ସେହି ପ୍ରସଙ୍ଗରେ ମୁଁ ତାମିଲନାଡୁର ଗୌରବମୟ ଐତିହ୍ୟ ସମ୍ବନ୍ଧୀୟ ଦୁଇଟି ଅତ୍ୟନ୍ତ ପ୍ରେରଣାଦାୟୀ ଉଦ୍ୟମ ସେୟାର୍‌ କରିବାକୁ ଚାହୁଁଛି। ତାମିଲନାଡୁର କହାଣୀ କହିବା ପ୍ରଥାକୁ ସଂରକ୍ଷିତ କରିବାରେ କନ୍ୟାକୁମାରୀର ତିରୁ ଏ. କେ. ପେରୁମଲ ଜୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ସତ୍‌ସାହସ ଓ ପ୍ରତିବଦ୍ଧତାର ଦୃଷ୍ଟାନ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଖ୍ୟାତନାମା ଲେଖିକା ଶିବଶଙ୍କରୀ ଓ ତାଙ୍କର ପ୍ରକଳ୍ପ ‘ନିଟ୍‌ ଇଣ୍ଡିଆ, ଥ୍ରୁ ଲିଟ୍‌ରେଚର୍‌’ ମଧ୍ୟ ପ୍ରଶଂସା କରିଛନ୍ତି।

ପ୍ରିୟ ଦେଶବାସୀ ଚଳିତ ମହୋତ୍ସବ ବେଳାରେ ଦେଶରେ କ୍ରୀଡ଼ାର ପତାକା ବି ଉଡୁଛି। ସମ୍ପ୍ରତି ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ‘ପାରା ଏସୀୟ କ୍ରୀଡ଼ା’ରେ ଚମତ୍କାର ସଫଳତା ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share