Hanile

ବଲାଙ୍ଗୀର : ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍‌ରେ ଆସିଲେ। ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇ ଗଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବଲାଙ୍ଗିର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଆଜି ସନ୍ଧ୍ୟା ବେଳେ ଶାସ୍ତ୍ରୀନଗର ପଡ଼ାର ୨୪ ବର୍ଷୀୟ ଯୁବକ ରାଜା ଭାଟି ବଲାଙ୍ଗିର ରେଡିଓ ଷ୍ଟେସନ୍‌ ନିକଟରେ ଥିବା ଚାହାକୁ ଯାଇଥିଲେ। ସେଠାରେ ସେ ସାଥୀମାନଙ୍କ ସହ ଚାହା ପିଉଥିଲେ। ଠିକ୍‌ ସେହି ସମୟରେ ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ସମସ୍ତଙ୍କ ସମ୍ମୁଖରେ ରାଜାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେଠାରେ ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କେଉଁ କାରଣରୁ ଓ କେଉଁମାନେ ଆକ୍ରମଣ କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ଅନୁସାରେ ରାଜାଙ୍କର କାହା ସହିତ ଶତ୍ରୁତା ନଥିଲା। ତାହା ହେଲେ କିଏ ଓ କାହିଁକି ତାଙ୍କୁ ଆକ୍ରମଣ କଲା? ପୁଲିସ୍‌ ଏହି ଜାଲରେ ପଡ଼ି ଯାଇଥିବା ବେଳେ ଶୁଣିବାକୁ ମିଳୁଛି, ଅପରାଧୀମାନେ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ବିନା କାରଣରେ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି।

Share