ଉଭୟ ଦେଶର ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ଚୁକ୍ତି ମାଧ୍ୟମରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, କ୍ରୀଡ଼ା ଚିକିତ୍ସା ଓ ଖେଳାଳିଙ୍କ ବିକାଶ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ସଂସ୍କୃତି କ୍ଷେତ୍ରରେ କଳା, ଐତିହ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଗୁଜରାଟର ଲୋଥଲରେ ନିର୍ମାଣାଧୀନ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସରର ବିକାଶ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡର ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟରେ ସହଯୋଗ ଚୁକ୍ତି ହୋଇଛି। ଏହା ମାଧ୍ୟମରେ ମିଳିତ ପ୍ରକଳ୍ପ ଓ ବୈଷୟିକ ସହଯୋଗରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଗକୁ ବଢ଼ାଯିବ।
ନ୍ୟୁଜିଲାଣ୍ଡ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପର ସାମୁଦ୍ରିକ ସୁରକ୍ଷା ସ୍ତମ୍ଭରେ ସାମିଲ ହେବ। ଏହା ମାଧ୍ୟମରେ ବେଆଇନ, ବିନା ସୂଚନା ଓ ଅନିୟମିତ ମତ୍ସ୍ୟ ଶିକାର ରୋକିବା ଦିଗରେ ସହଯୋଗ ବଢ଼ିବ। ସେହିପରି ନ୍ୟୁଜିଲାଣ୍ଡ ବିଶ୍ୱ ଜୈବ ଇନ୍ଧନ ମହାମଞ୍ଚରେ ମଧ୍ୟ ସାମିଲ ହେବ, ଯାହା ସ୍ୱଚ୍ଛ ଶକ୍ତି ଓ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଦେବ।
ଗୋଆସ୍ଥିତ ଜାତୀୟ ଧ୍ରୁବ ଓ ମହାସାଗର ଗବେଷଣା କେନ୍ଦ୍ର ଏବଂ ନ୍ୟୁଜିଲାଣ୍ଡର କ୍ୟାଣ୍ଟରବେରି ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଣ୍ଟାର୍କଟିକା ଗବେଷଣା, ଶିକ୍ଷାଗତ ଆଦାନପ୍ରଦାନ ଓ କ୍ଷମତା ବିକାଶ ପାଇଁ ଚୁକ୍ତି ହୋଇଛି। ସେହିପରି ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଉଦ୍ୟୋଗୀକରଣ ଓ ପରିଚାଳନା ପ୍ରତିଷ୍ଠାନ ଏବଂ ନ୍ୟୁଜିଲାଣ୍ଡର ମ୍ୟାସି ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା, ଛାତ୍ର ବିନିମୟ ଓ ଶିକ୍ଷାଗତ ସହଯୋଗ ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି।
ଉଭୟ ଦେଶ ‘ରଣନୀତିକ ସହଭାଗିତା ଓ ୨୦୩୦ ରୋଡ୍ମ୍ୟାପ୍’ ମଧ୍ୟ ଜାରି କରିଛନ୍ତି। ଏହା ଅନୁସାରେ ଆସନ୍ତା ଚାରି ବର୍ଷ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ସଂସ୍କୃତି, କୃଷି ପ୍ରଯୁକ୍ତି, ଜନସମ୍ପର୍କ, ଭାରତ-ପ୍ରଶାନ୍ତ ସହଯୋଗ ଏବଂ ବହୁପାକ୍ଷିକ ମଞ୍ଚରେ ସମନ୍ୱୟକୁ ପର୍ଯ୍ୟାୟକ୍ରମେ ସୁଦୃଢ଼ କରାଯିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଉଭୟ ଦେଶର ସମ୍ପୃକ୍ତ ମନ୍ତ୍ରଣାଳୟ ଓ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ।

