ଯାଜପୁର : ଛାତି ଫଟାଇ କାନ୍ଦି କାନ୍ଦି ସେଇ ଗୋଟିଏ କଥା ମୋ ପୁଅ ତ ଖାଇ ପିଇ ସକାଳୁ ସ୍କୁଲ ଗଲା । ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ ଫେରେଇ ପାରିବ କି? ମୋ କୋଳକୁ ମୋ ପୁଅକୁ ଆଣିଦିଅ ଲୋ । ୧୧ ବର୍ଷ ହେଲା କୋଳେଇ କାଖେଇ ବଡ କରିଥିଲି, ମୋତେ ଏମିତି କେମିତି ଛାଡି ଚାଲିଯିବ ମୋ ପୁଅ । କହି କହି ଚେତାଶୂନ୍ୟ ହୋଇପଡୁଛି ମାଆ । ମାଆର ଏ ବୁକୁ ଫଟା କାନ୍ଦକୁ ଯିଏ ଶୁଣୁଛି ସେ ମଧ୍ୟ କାନ୍ଦି ପକାଉଛନ୍ତି । ସମସ୍ତଙ୍କ ଆଖିରେ ଲୁହ । ପରିବାର ସହିତ ପାଖ ପଡୋଶୀ ବି ଗ୍ରହଣ କରିପାରୁନାହାଁନ୍ତି ଏଭଳି ଏକ ସ୍ଥିତିକୁ । ହଁ ମାଆକୁ ଛାଡି ଚାଲିଗଲା ରୁଦ୍ର । ସବୁଦିନ ପାଇଁ ଏକା କରି ଛାଡି ଚାଲିଗଲା ରୁଦ୍ର । ଶିକ୍ଷକ କଣ ଯେ ଟିକେ ଉଠବସ୍ ହେବାକୁ କହିଲେ ଯେ ସେଇଠି ହିଁ ଟଳି ପହିଲା ରୁଦ୍ର ।
ଘଟଣା ପ୍ରଚାରିତ ହେବା ପରେ ଆଜି ରସୁଲପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଛାତ୍ରର ସ୍ୱାସ୍ଥ୍ୟ ଗତ ସମସ୍ୟା ଥିବା ଜାଣିବାକୁ ପାଇଥିଲେ। ତେବେ ୩ଦିନ ପୂର୍ବେ ରୁଦ୍ର ନାରାୟଣ ପରିବାର ଲୋକଙ୍କ ସହ ପୁରୀ ଯାଇ ଫେରିବା ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଘରେ କିଛି ଖାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ରୁଦ୍ରଙ୍କର ହୃଦଜନିତ ସମସ୍ୟା ଥିବା ମଧ୍ୟ ଜାଣିବାକୁ ମିଳିଛି। ତେବେ ଏହି ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମୃତଦେହ ଵ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରସୁଲପୁର ଏବିଇଓ। ରୁଦ୍ର କେଉଁ କାରଣ ପାଇଁ ମଲା, କଣ ହେଇଥିଲା ସେ ସବୁ ତ ରିପୋର୍ଟ ଆସିବା ପରେ ଜଣାପଡିବ । କିନ୍ତୁ ଏ ମାଆର କୋଳଶୂନ୍ୟ ହେଇଗଲା ନା । ରୁଦ୍ର ତ ଆଉ ଫେରିବନି ତା ମାଆ ପାଖକୁ । ଅଳି କରିବନି ଏଟା ଖାଇବିନି ମୁଁ ସେଟା ଖାଇବିନି ।

