Screenshot 2023 12 09 225316

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସରକାରଙ୍କ “ଏସସି ଆଡଭାଇଜୋରି କମିଟି”ର ବୈଠକ ଆଦୌ ବସୁନାହିଁ । ଦଳିତମାନଙ୍କ ଉପରେ “ଆଟ୍ରୋସିଟି କେଶ୍‌” ରାଜ୍ୟରେ ପ୍ରତିଦିନ ବଢ଼ୁଛି । କିନ୍ତୁ ଦଳିତମାନେ ଅଭିଯୋଗ କରୁଥିଲେ ମଧ୍ୟ ପୋଲିସ ଏଫଆଇଆର ଗ୍ରହଣ କରୁନାହାଁନ୍ତି କିମ୍ବା ଗ୍ରହଣ କଲେ ମଧ୍ୟ ତଦନ୍ତ କରୁନାହାନ୍ତି କି ଚାର୍ଜସିଟି ମଧ୍ୟ କରୁନାହାନ୍ତି । ପକ୍ଷପାତିତା କରି ଥାନାରେ ବୁଝାମଣା କରି ଅଭିଯୁକ୍ତମାନଙ୍କୁ ଛାଡି ଦେଉଛନ୍ତି । ଯଦ୍ୱାରା ଦଳିତମାନଙ୍କ ଉପରେ ଅତ୍ୟାଚାର ବଢ଼ୁଛି ବୋଲି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଗତ ସାଢ଼େ ୯ବର୍ଷର ମୋଦି ଶାସନରେ ଦଳିତ ବର୍ଗର ବିକାଶ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ପିଇବା ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାର୍ଦ୍ଦକ୍ୟଭତ୍ତା, ବିଧବା ଭତ୍ତା ପ୍ରଦାନ ଇତ୍ୟାଦି କ୍ଷେତ୍ରରେ ଦଳିତ ଲୋକ ଅଧିକ ଲାଭବାନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୩ବର୍ଷର ସରକାର ଦଳିତଙ୍କ ବିକାଶ ପାଇଁ କୌଣସି ଆନ୍ତରିକତା ରଖୁନାହିଁ । କେନ୍ଦ୍ର ସରକାର “ଏସ୍‌ସି ସବ୍‌ପ୍ଲାନ”ରେ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛନ୍ତି । ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ରାଜ୍ୟ ସରକାର ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଦଳିତ ଶିକ୍ଷିତ ଯୁବକଙ୍କୁ ସ୍ୱାବଲମ୍ବୀ କରିବା ଓ ନିଯୁକ୍ତିରେ ସହାୟକ ଦେବା ଯୋଜନା ଥିବାବେଳେ ରାଜ୍ୟ ସରକାର ତାହାକୁ ଠିକଣା ଭାବରେ କାର୍ଯ୍ୟକାରି କରୁନାହାନ୍ତି । ଭିଜିଲାନ୍ସ ମନଟରିଂ କମିଟି ପ୍ରତ୍ୟେକ ଜିଲ୍ଲାରେ ଅଛି କିନ୍ତୁ ତାହା କ୍ରୀୟାଶୀଳ ନ ହେବା କାରଣରୁ ଦଳିତ ଲୋକ ଉପକୃତ ହୋଇପାରୁନାହାନ୍ତି । “ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା”କୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଠିକଣା ଢ଼ଙ୍ଗରେ ଲାଗୁ କରୁନାହାନ୍ତି । ଓଡ଼ିଶାରେ ଏସସି କମିଶନ ନଥିବାରୁ ଦଳିତଙ୍କ ଉପରେ କେସ୍ ଆସିଲେ କୋଲକତା ଯିବାକୁ ପଡୁଛି । ତେଣୁ ରାଜ୍ୟରେ ଏସସି କମିଶନ ଗଠନ ଦାବି କରିଛି ମୋର୍ଚ୍ଚା । ଆମ୍ବେଦକରଙ୍କ ପ୍ରତିମୂର୍ତି ଜିଲ୍ଲା ସ୍ତରରେ ନିର୍ମାଣ କରାଯାଉ ବୋଲି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ଡ.ବିଭୂ ପ୍ରସାଦ ତରାଇ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋର୍ଚ୍ଚାର ରାଜ୍ୟ ସଭାପତି ପୂର୍ବତନ ସାଂସଦ ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ମୋର୍ଚ୍ଚାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକାରିଣୀରେ ଦଳର ସଂଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଡ.ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମନୋଜ ବେହେରା, ସାଧାରଣ ସମ୍ପାଦକ ରବି ନାରାୟଣ ବେହେରା, ଚନ୍ଦନ ସ୍ୱରାଜ, ରାଜ୍ୟ ଉପସଭାପତି ମନିଜର ଆର୍ଯ୍ୟ, ରାମବିସି ଦିଗାଳ, ସ୍ମିତା ପ୍ରଧାନ, ରାକେଶ ମଲ୍ଲିକ, ରଞ୍ଜନ ସେଟ୍‌, ବବତି ।ମଲ୍ଲିକ, ସମ୍ପାଦକ ସରୋଜ ଜେନା ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ସଂଯୋଜକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।

Share