0092004f 52c0 49f3 afe1 3de833164101

ଭୁବନେଶ୍ୱର :  ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ରାଜ୍ୟସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ତ୍ରିଲୋଚନ ପୁଞ୍ଜି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅମୂଲ୍ୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ। ଓଡିଶା ଜଙ୍ଗଲ ଅଧିକାର ମଞ୍ଚର ରାଜ୍ୟ ସଂଯୋଜକ ମଣ୍ଡଳୀ ସଦସ୍ୟ ଅନନ୍ତ ସମ୍ମିଳନୀର ଲକ୍ଷ, ଉଦ୍ଦେଶ୍ୟ ଓ ରାଜ୍ୟରେ ଜଙ୍ଗଲ ଅଧିକାରର ସ୍ଥିତି ସମ୍ପର୍କରେ ଉପସ୍ଥାପନା କରିଥିଲେ।

ଏହି ସମ୍ମିଳନୀରେ ଜଙ୍ଗଲ ଅଧିକାର ଉପରେ ଅଧ୍ୟୟନରତ ଓ ବିଶିଷ୍ଟ ଗବେଷକ ତୁଷାର ଦାସ, ସାମାଜିକ କର୍ମୀ ସୁଦର୍ଶନ ଛୋଟରାୟ,ବରିଷ୍ଠ ଅଧ୍ୟାପକ ବିଜୟ ବହିଦାର, ନରେଶ ଜେନା, ଗବେଷକ ଶ୍ରୀଚରଣ ବେହେରା,ସନ୍ଦୀପ ପଟନାୟକ, ଅରୁଣ ପ୍ରସାଦ ଦିହୁଡ଼ି ପ୍ରଭୃତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଜଙ୍ଗଲଜମି ଉପରେ ଚାଷ ଓ ବାସ ପାଇଁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ ଅଧିକାର ପ୍ରଦାନ କରିଥିବା ବେଳେ ଗୋଷ୍ଠିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀ ଜଙ୍ଗଲ ସମ୍ବଳର ଅଧିକାର ନାମରେ ବୈକେନ୍ଦ୍ରିକ, ଲୋକତାନ୍ତ୍ରିକ ଢାଞ୍ଚାରେ ଜଙ୍ଗଲର ସୁରକ୍ଷା, ରକ୍ଷଣାବେକ୍ଷଣ,ବ୍ୟବହାର ଏବଂ ଏହାର ପରିଚାଳନା ନିମନ୍ତେ ଗ୍ରାମସଭାକୁ ଆଇନଗତ କ୍ଷମତା ପ୍ରଦାନ କରିଛି। ରାଜ୍ୟରେ ୪,୫୫,୩୯୯ ପରିବାରଙ୍କୁ ବ୍ୟକ୍ତିଗତ ଅଧିକାର ମିଳିଥିବା ବେଳେ ଆହୁରି ପ୍ରାୟ ୬ ଲକ୍ଷ ପରିବାର ବାକି ଅଛନ୍ତି। ପ୍ରାୟ ୬୪୬୭ ଗୋଟି ଗ୍ରାମକୁ ଗୋଷ୍ଠିଗତ ଜଙ୍ଗଲ ଅଧିକାର ପ୍ରଦାନ କରିଥିବା ବେଳେ ଗୋଷ୍ଠିଗତ ଅଧିକାର ପାଇଁ ଉପଯୁକ୍ତ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ବ ଗ୍ରାମ ଅଧିକାର ପାଇବାରୁ ବଞ୍ଚିତ ଅଟନ୍ତି। ରାଜ୍ୟର ସମଗ୍ର ଭୌଗଳିକ ଅଞ୍ଚଳର ୩୯.୩୧ ଭାଗ ହେଉଛି ଜଙ୍ଗଲ ଜମି।

ଓଡ଼ିଶାର ୮୦ଲକ୍ଷ ଆଦିବାସୀଙ୍କ ସହିତ ପ୍ରାୟ ୨ କୋଟି ୫୦ ଲକ୍ଷ ଜନସଂଖ୍ୟାର ଜୀବିକାର ମୂଳ ଆଧାର ହେଉଛି ଜଙ୍ଗଲ। ଏଣୁ ଏହି ଆଇନ ସଠିକ ଭାବରେ କାର୍ଯ୍ୟକାରୀ ହେଲେ ରାଜ୍ୟର ୩୨୫୬୨ ଖଣ୍ଡ ଗ୍ରାମ ଉପକୃତ ହେବେ। ଗ୍ରାମସଭାର ଉଦ୍ୟମରେ ଲୋକଙ୍କର ସହଭାଗିତାରେ ଜଙ୍ଗଲର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ଏହା ଦ୍ୱାରା ପରିବେଶଗତ କ୍ଷତି ଯୋଗୁଁ ସୃଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନ କୁ ମଧ୍ୟ ରୋକା ଯାଇ ପାରିବ। ଏହି ସମ୍ମିଳନୀରେ ରାଜ୍ୟର ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼,ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, କୋରାପୁଟ ଜିଲ୍ଲା ମାନଙ୍କରୁ ଏକ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ, ବନଜୀବୀ ତଥା ଜଙ୍ଗଲ ଅଧିକାର ପାଇଁ କାର୍ଯ୍ୟରତ ଜନସଙ୍ଗଠନ,ସାମାଜିକ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।ଜଙ୍ଗଲ ଅଧିକାର ଆଇନର ଉଚିତ କାର୍ଯ୍ୟକାରିତା, ବକେୟା ଥିବା ଅଧିକାର ଗୁଡିକ ପ୍ରଦାନ କରିବା, ଗୋଷ୍ଠିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀ ଜଙ୍ଗଲ ସମ୍ବଳର ଅଧିକାରକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା, ପେସା ଆଇନର ସଠିକ କାର୍ଯ୍ୟକାରିତା ପ୍ରଭୃତି ୧୫ ଦଫା ଦାବି ସମ୍ବଳିତ ଘୋଷଣା ପତ୍ର ଜାରି କରାଯାଇ ଏହାର କାର୍ଯ୍ୟକାରିତା ପାଇଁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଘୋଷଣା କରାଯାଇଥିଲା। ଶେଷରେ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ ଘୋଷଣା କରିଥିଲେ ।

Share