IMAGE

ଚେନ୍ନାଇ : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ଙ୍କର ଆଜି ପରଲୋକ ହୋଇଯାଇଛି।  ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

୧୯୯୯ ମହାବାତ୍ୟା ପରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ ଏମ୍‌.ଏମ୍ ରାଜେନ୍ଦ୍ରନ। ରାଜ୍ୟପାଳ ହେବା ପୂର୍ବରୁ ସେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଥିଲେ। ୧୯୫୭ ବ୍ୟାଚ୍‌ରେ ଆଇଏଏସ୍‌ ଟପ୍ପର ଥିଲେ ଏମ୍‌.ଏମ୍‌ ରାଜେନ୍ଦ୍ରନ।

ଏମ୍‌.ଏମ୍ ରାଜେନ୍ଦ୍ରଙ୍କ ଦେହାନ୍ତ ଖବର ପାଇବା ପରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ତା’ସହିତ ସ୍ୱର୍ଗତଃ ଏମ୍‌.ଏମ୍‌ ରାଜେନ୍ଦ୍ରନଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି।

ସେହିପରି ଏମ୍‌.ଏମ୍ ରାଜେନ୍ଦ୍ରନଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସେବା ପାଇଁ ତାଙ୍କର ଯେଉଁ ସମର୍ପଣ ମନୋଭାବ ଥିଲା, ସେଥିପାଇଁ ସେ ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତା’ସହିତ ତାଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇଛନ୍ତି।

Share