Vandebharatpti 1 1175348 1672071803 750x430

ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହିତ ଘନ କୁହୁଡି ଦେଖାଯାଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କମ୍ ଦୃଶ୍ୟମାନତା କାରଣରୁ ଦିଲ୍ଲୀକୁ ଆସୁଥିବା ଅନେକ ବିମାନକୁ ଡାଇଭର୍ଟ କରାଯାଇଥିଲା। ଏହା ସହିତ ରେଳ ସେବା ଉପରେ ଘନ କୁହୁଡ଼ିର ପ୍ରଭାବ ପଡିଛି। କୁହୁଡ଼ି ହେତୁ ଅନେକ ଦୂରଗାମୀ ଟ୍ରେନ୍ ବାତିଲ୍ ହୋଇଥିବାବେଳେ ଅଧିକାଂଶ ଟ୍ରେନ୍ ୧୦ ଘଣ୍ଟା ବିଳମ୍ବରେ ଚାଲିଛି | ଘନ କୁହୁଡ଼ି ହେତୁ ଦେଶର ସେମି ହାଇ ସ୍ପିଡ୍ ଟ୍ରେନ ବନ୍ଦେ ଭାରତର ବେଗ ଉପରେ ମଧ୍ୟ ବଡ ପ୍ରଭାବ ପଡିଛି |
ଦିଲ୍ଲୀରୁ ବାରାଣାସୀକୁ ଯାଉଥିବା ନୂତନ ବନ୍ଦେ ଭାରତ ଟ୍ରେନ୍ ୧୫ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରେ ଚାଲିଛି | ଏହି ଟ୍ରେନ ବୁଧବାର ରାତି ୧୧:୦୫ରେ ବାରାଣାସୀରେ ପହଂଚିବାର ଥିଲା | କିନ୍ତୁ ବନ୍ଦେ ଭାରତ ଟ୍ରେନ୍ (୨୨୪୧୬) ଗୁରୁବାର ଦିନ ଅପରାହ୍ନ ୦୩:୩୦ ସୁଦ୍ଧା ପହଞ୍ଚି ପାରି ନଥିବା ବେଳେ ବାରାଣାସୀରୁ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନ୍ ରାତି ୦୯ଟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲା । ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଥିବାରୁ ହମସଫର, ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ଭଳି ଟ୍ରେନର ପ୍ରସ୍ଥାନ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି |

Share