IMAGE

ଟେକ୍‌ ଅଫ୍‌ ବେଳେ ରନ୍‌ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ୨୮୦ରୁ ଅଧିକ ଯାତ୍ରୀ। ଜାପାନ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଅଘଟଣ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଏଏଫ୍‌ପିର ସୂଚନା ମୁତାବକ, ମଙ୍ଗଳବାର ଜାପାନର ଉତ୍ତର ଦ୍ୱୀପ ହୋକ୍କାଇଡୋର ନ୍ୟୁ ଚିଟୋଜ ବିମାନ ବନ୍ଦରରେ କୋରିଆ ଏୟାରଲାଇନ୍ସର ଏକ ବିମାନ କ୍ୟାଥେ ପେସିଫିକ୍‌ ଏୟାରବେଜର ବିମାନ ସହ ଧକ୍କା ହୋଇଥିଲା। ଟେକ୍‌ ଅଫ୍‌ ବେଳେ ଏହି ଦୁର୍ଘଟଣା ଘଟିଥିଲା। କୋରିଆ ଏୟାରଲାଇନ୍ସର ବିମାନରେ ୨୮୯ ଯାତ୍ରୀଙ୍କ ସମେତ କ୍ରୁ ମେମ୍ବର ମଧ୍ୟ ଥିଲେ।

କୋରିଆ ଏୟାରଲାଇନ୍ସର ବିମାନ ଅଧିକାରୀଙ୍କ କହିବା ମୁତାବକ, ଦୁଇଟି ବିମାନର ଡେଣା ପରସ୍ପର ସହ ବାଡେଇ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ବିମାନବନ୍ଦରରେ ଜମି ରହିଥିବା ବରଫ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଏକ ଟୋଇଂ କାର୍‌ ଟେକ୍ ଅଫ୍‌ ବେଳେ କୋରିଆ ଏୟାରଲାଇନ୍ସର ବିମାନକୁ ପଛ ପଟୁ ଧକ୍କା ଦେଉଥିଲା। ଏହି ସମୟରେ କାର୍‌ଟି ବିମାନ ବନ୍ଦରରେ ଜମି ରହିଥିବା ବରଫରେ ଖସି ଯାଇଥିଲା। ଫଳରେ ବିମାନଟିର ବାମ ଡେଣାଟି କ୍ୟାଥେ ପେସିଫିକ୍‌ ବିମାନର ଡାହାଣ ଡେଣା ସହ ମାଡ ହୋଇଥିଲା। ଏହି ଦୁର୍ଘଟଣା ପରେ ବିମାନଟିର ଉଡାଣ ବାତିଲ କରାଯାଇଛି। ତାକୁ ତୁରନ୍ତ ଯାଞ୍ଚ ପାଇଁ ଅଟକାଇ ଦଆଯାଇଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ କ୍ୟାଥେ ପେସିଫିକ୍‌ ବିମାନରେ କେତେ ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ।

Share