Image 1708570458

ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ବାହାର ରାସ୍ତା ଦେଖାଇଛି ବିଜେଡି। ସେ ଗଜପତି ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ପୁଲିସ୍‌ ତଦନ୍ତରୁ ସାମନାକୁ ଆସିଛି। ଏହାପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିଛି ବିଜେଡି ।

ଏହି ମାମଲାରେ ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ବି ପୁଲିସ୍‌ ବାନ୍ଧିଛି। ଗିରଫ ୩ ଜଣଙ୍କଠାରୁ ୨୪ ଗ୍ରାମ ସୁନା, ୪ଟି ମୋବାଇଲ୍ ଓ ହତ୍ୟାରେ ବ୍ୟବହୃତ ଗାଡ଼ି ମଧ୍ୟ ଜବତ ହୋଇଛି।

ଏହି ୩ ଅଭିଯୁକ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ୱିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍‌ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଉଠି ପଡ଼ିଥିଲେ। ଆଉ ସେ ଅମିତକୁ ଚିହ୍ନି ପକାଇଥିଲେ। ଧରା ପଡ଼ିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।

ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଧରାନଡ଼ିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲେ ଅମିତ। ଏପରିକି ବୃଦ୍ଧାଙ୍କ ଶେଷକୃତ୍ୟ ସମୟରେ ବି ସେ ତାଙ୍କ ପାଖେପାଖ ଉପସ୍ଥିତ ରହୁଥିଲେ।

ପୁଲିସ୍‌ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ପୁଲିସ୍‌ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ୍‌ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share