Image 1711095078

ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜ୍ରିୱାଲ। ଇଡିର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାକୁ ଆଜି ଉଠାଇ ନେଇଛନ୍ତି। ଏହି ମାମଲା ତଳ କୋର୍ଟରେ ବିଚାରଧୀନ ଥିବାରୁ ଆବେଦନ ପ୍ରତ୍ୟାହାର କରି ନିଆଯାଇଥିବା କେଜ୍ରିୱାଲଙ୍କ ଓକିଲ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଆପ୍ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କିନ୍ତୁ ଅଦାଲତ ତତ୍କାଳ ଶୁଣାଣି କରିବାକୁ ମନା କରି ଆଜିକୁ ସମୟ ଦେଇଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ.ଏମ ସୁନ୍ଦରଶ ଏବଂ ଜଷ୍ଟିସ ବେଲା ଦ୍ୱିବେଦୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ କେଜ୍ରିୱାଲଙ୍କ ଓକିଲ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ଭାରତ ରାଜନୀତିରେ ପ୍ରଥମ କରି କେଜ୍ରିୱାଲ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏହି ମାମଲାରେ ଅର୍ଥ ହେରଫେରକୁ ନେଇ ପଚରାଉଚରା କରିବା ପାଇଁ ଇଡି କେଜ୍ରିୱାଲଙ୍କୁ 9 ଥର ସମନ ପଠାଇଥିଲା। କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗତକାଲି ଇଡି ତାଙ୍କୁ ଗିରଫ କରିଛି।

ଇଡିର ଗିରଫଦାରୀକୁ ଆପ୍ ନେତା ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରି ଆସୁଛନ୍ତି। ଏହାକୁ ନେଇ ଆପ୍ ନେତାମାନେ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେବା ସହ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ  ଆପ୍ ମନ୍ତ୍ରୀ ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ।

Share