Puri
Jagannath Temple in Puri, 12th Century, Orissa, India. Jagannath temple hosts the annual procession of massive chariots, juggernauts, a Hindu festival

ପୁରୀ : ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଏପରି ନିଷ୍ପତ୍ତି ନେଇଛି। ତେଣୁ ପହଣ୍ଡି ପରେ ମହାପ୍ରଭୁ ରଥ ଉପରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।
ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ତେଣୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁସାରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ହେବ। ନିଷ୍ପତ୍ତି ଅନୁସାରେ ଜୁଲାଇ ୭ ତାରିଖ ଅପରାହ୍ନ ୫ଟାରେ ରଥ ଟଣାଯିବ। ଦିନ ୧ଟା ୧୦ ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ସାଢେ ଦୁଇଟାରେ ଶେଷ ହେବ। ତା’ପୂର୍ବଦିନ ଅର୍ଥାତ ଜୁଲାଇ ୬ ତାରିଖରେ ସକାଳ ଧୂପ ପରେ ପଟିଦିଅଁଙ୍କଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ସନ୍ଧ୍ୟା ଧୂପ ପରେ ଧ୍ୱଜା ଆଜ୍ଞାମାଳ ବିଜେ କରିବ।
ସେପଟେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ନବଯୌବନ ଦର୍ଶନ ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ତେଣୁ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପରେ ରଥ ଉପରେ ମହାପ୍ରଭୁ ଶ୍ରଦ୍ଧାଳୁ ଦର୍ଶନ ଦେବେ। ସେହିପରି ସେବାୟତ ପରିବାରମାନଙ୍କୁ କେବଳ ନବଯୌବନ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଅନୁମୋଦନ କରିଛି ପରିଚାଳନା କମିଟି। ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଥିବାରୁ ବୈଠକରେ ସେବାୟତ ପ୍ରତିନିଧିମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ନୀତିକାନ୍ତିକୁ ତ୍ୱରାନ୍ୱିତ କରିବାକୁ ରଥ ସହିତ ସଂପୃକ୍ତ ସମସ୍ତ ସେବାୟତଙ୍କୁ ନୀତିର ଯଥେଷ୍ଟ ପୂର୍ବରୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଗଜପତିଙ୍କୁ ମଧ୍ୟ ଛେରାପହଁରା ନୀତିକୁ ସଠିକ୍ ସମୟରେ କରିବାକୁ ଅନୁରୋଧ କରାଯାଇଛି।
ସେପଟେ ଶୃଙ୍ଖଳିତ ଦର୍ଶନ ଓ କ୍ରାଉଡ୍‌ କଣ୍ଟ୍ରୋଲ ପାଇଁ ଦୁଇ ଦିନିଆ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ସୁନିୟନ୍ତ୍ର ଓ ବଡଦାଣ୍ଡକୁ ଭେଇକିଲ୍‌ ପ୍ରବେଶ କରିପାରିବ ନାହିଁ ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି। ତା’ସହ ଯେଉଁ ସ୍ଥାନରେ ତିନି ରଥ ରହିବ, ସେଠାରେ ଦର୍ଶନାର୍ଥୀଙ୍କ ଭିଡ ଜମିବ। ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହାଛଡ଼ା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେଉଁ ଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେହି ଭଳି ଭାବରେ ତା’ପରଦିନ ମଧ୍ୟ ବ୍ୟବସ୍ଥା କରାଯିବ। ନୋ ଭେଇକିଲ୍‌ ଜୋନ କରାଯିବ ବୋଲି ଏସ୍‌ପି କହିଛନ୍ତି।

Share