ନୂଆଦିଲ୍ଲୀ : ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବଢିଯାଇଛି । ଉଭୟ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।
କୃଷକମାନେ ହରିୟାଣାରେ ଏମଏସପି ଦରରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ ପାଇଁ ଦାବି କରୁଛନ୍ତି । ଏହି ଦାବି ନେଇ ଭାରତୀୟ କିଷାନ ୟୁନିୟନ ( ଚାରୁନି) ପକ୍ଷରୁ ହରିୟାଣାର ପିପଲି ଠାରେ ଏକ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ହରିୟାଣା ବ୍ୟତୀତ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରୁ ବହୁ ସଂଖ୍ୟକ କୃଷକ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
ଏହା ପୂର୍ବରୁ ଜୁନ୍ ୬ ତାରିଖରେ କୁରୁକ୍ଷେତ୍ରର ଶାହାବାଦରେ କୃଷକମାନେ ସମାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଲିସ ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଗୁରନାମ ସିଂ ଚଦୁନି, ରାକେଶ ବେନସଙ୍କ ସମେତ ଅନେକ କୃଷକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

କୃଷକମାନେ ରାସ୍ତା ଅବରୋଧ କରିବା ପରେ ଦିଲ୍ଲୀ-ଚଣ୍ଡିଗଡ଼ ରାଜପଥରେ ଲମ୍ବା ଜାମ୍ ଲାଗି ରହିଛି। ବହୁ ସଂଖ୍ୟକ ଚାଷୀ ରାଜପଥରେ ଅଟକି ରହିଛନ୍ତି। ଏଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି ବୋଲି କୃଷକମାନେ କହିଛନ୍ତି।

Share