Chilika

ଚିଲିକା: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଲଞ୍ଚ । ବାଲୁଗାଁ ଠାରୁ କୃଷ୍ଣପ୍ରସାଦ ଗଡ଼ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଧ୍ୟରେ ଅଟକି ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ ଜେଟି ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଲଞ୍ଚଟି ହଠାତ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାର ମଝିରେ ଅଚଳ ହୋଇପଡିଥିଲେ । ଫଳରେ ଲଞ୍ଚରେ ଥିବା ୫୦ରୁ ଅଧିକ ଯାତ୍ରୀ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ପାଣି ମଝିରେ ଫସି ରହିଥିଲେ । ଲଞ୍ଚରେ ଯାତ୍ରୀଙ୍କ ସହ ଅନେକ ବାଇକ ମଧ୍ୟ ରହିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତିନୋଟି ଡଙ୍ଗା ନେଇ ଚିଲିକା ମଝିକୁ ପହଞ୍ଚିଥିଲେ ।

ବହୁ ପରିଶ୍ରମ ପରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ ଘାଟ ନିକଟକୁ ଆଣିବାରେ ସଫଳ ହୋଇଥିଲେ । ଦୀର୍ଘ ସମୟର ଉଦବେଗ ଓ କସରତ ପରେ ଶେଷରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କୌଣସି ଜୀବନହାନି କିମ୍ବା ଅନ୍ୟ କ୍ଷତି ଘଟିନଥିବା ସୂଚନା ମିଳିଛି । ଏହି ଘଟଣା ପୁଣିଥରେ ଚିଲିକାରେ ଚଳାଚଳ କରୁଥିବା ଜଳଯାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

Share