Venture staff

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 ର ଦୁଃଖଦ ଦୁର୍ଘଟଣାକୁ ମାସେ ନ ପୂରୁଣୁ  ଏକ ଫୁଟେଜ୍ ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏୟାର ଇଣ୍ଡିଆର ବିମାନବନ୍ଦର ସେବା ଅଧିକାରୀ, AISATSର ବରିଷ୍ଠ ଅଧିକାରୀମାନେ ଏକ ଅଫିସ ପାର୍ଟିରେ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ଲୋକଙ୍କ ଉତ୍ତେଜନାର କାରଣ ପାଲଟିଛି । ଲୋକେ ଉତ୍ୟକ୍ତ ହୋଇ AISATSର ଚାରି ଜଣ ବରିଷ୍ଠ କର୍ମୀଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ।

ସୂଚନାନୁଯାୟୀ, କମ୍ପାନୀର ମୁଖ୍ୟ ଅଧିକାରୀ ଆବ୍ରାହମ ଜାକାରିଆ କର୍ମଚାରୀମାନଙ୍କ ସହିତ ନାଚୁଥିବାର ଦେଖାଯାଇଛି । ଯାହା AISATS ର ଗୁରୁଗ୍ରାମ କାର୍ଯ୍ୟାଳୟରେ ସୁଟ୍ ହୋଇଥିବା ଭାଇରଲ ଭିଡିଓରୁ ଦେଖିବାକୁ ମିଳିଛି । ଏତିକି ନୁହେଁ ଗୀତ ମଧ୍ୟ ଜୋରରେ ବାଜୁଛି । ଭାଇରଲ ହେବା ପରେ ଏହାକୁ କଡା ନିନ୍ଦା କରାଯାଇଛି । ଅନେକ ଲୋକ ଏହାର ପ୍ରତିକ୍ରିୟା ଦେଇଛନ୍ତି
ଯେ, ଦୁର୍ଘଟଣାଗ୍ରସ୍ତଙ୍କ ପରିବାର ଲୋକେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହି ସମୟରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ନ ରହିଥିବାରୁ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବର୍ତ୍ତମାନ ଏହା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି  ।

ଅନ୍ୟପଟେ AISATSର ପ୍ରବକ୍ତା AI171ର ଦୁର୍ଘଟଣାର ଦୁଃଖଦ ଖବର ପାଇଁ  ଦୁଃଖ ପ୍ରକାଶ କରୁଛନ୍ତି ବୋଲି କହିଥିଲେ । ଏହା ସହିତ ସେ ଆହୁରି କହିଥିଲେ ଯେ, ଏହି ସମୟରେ ଏକତା ରହିବା ନିହାତି ଗୁରୁତ୍ବପୂର୍ଣ୍ଣ । ଦାୟୀ ଲୋକଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଜୁନ୍ ୧୨ ତାରିଖ ଦିନ ୧:୩୯ ରେ ଏୟାର ଇଣ୍ଡିଆର ଏକ ବିମାନ ଅହମ୍ମଦାବାଦର ଏକ ମେଡିକାଲ କଲେଜ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ୨୪୨ ଜଣଙ୍କ ମଧ୍ୟରୁ ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଅନ୍ୟ ୨୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ବ୍ଲାକ୍ ବାକ୍ସ ଏହି ଘାତକ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Share