ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ ମଞ୍ଜୁରୀ ମିଳିଛି । ଦେଶର ସବୁଠାରୁ ବ୍ୟସ୍ତ ରେଳ ରୁଟରେ ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ (HDN) କରିଡରକୁ ଫୋର୍-ଲେନ୍ କରାଯିବ । କେନ୍ଦ୍ରୀୟ କ୍ୟାବିନେଟ୍ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଇଛି।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜିର କ୍ୟାବିନେଟ୍ ବୈଠକରେ ରେଳବାଇର ଆଧୁନିକୀକରଣ ସହ ଜଡିତ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଉପରେ ଗତ ୧୨ ବର୍ଷ ଧରି କାମ ଚାଲିଛି । ସରକାର ଦେଶର ୭ଟି ହାଇ ଡେନସିଟି କରିଡରକୁ ଫୋର୍-ଲେନ୍ କରିବା ସହ ବର୍ତ୍ତମାନର ରେଳ ନେଟୱର୍କକୁ କ୍ୱାଡ୍ରୁପଲ୍ କରିବା ଦିଗରେ କାମ ହେବ ।
୧. ଦିଲ୍ଲୀ-ହାୱଡ଼ା ରେଳ ରୁଟ୍
୨. ହାୱଡ଼ା-ମୁମ୍ବାଇ ରେଳ ରୁଟ୍
୩. ଦିଲ୍ଲୀ-ମୁମ୍ବାଇ ରେଳ ରୁଟ୍
୪. ଦିଲ୍ଲୀ-ଗୁଆହାଟୀ ରେଳ ରୁଟ୍
୫. ଦିଲ୍ଲୀ-ଚେନ୍ନାଇ ରେଳ ରୁଟ୍
୬. ହାୱଡ଼ା-ଚେନ୍ନାଇ ରେଳ ରୁଟ୍
୭. ମୁମ୍ବାଇ-ଚେନ୍ନାଇ ରେଳ ରୁଟ୍
ଏହି ରୁଟ୍ଗୁଡ଼ିକ ଦେଶର ଅନେକ ପ୍ରମୁଖ ସହରକୁ ସଂଯୋଗ କରିଥାଏ । ଦିଲ୍ଲୀ-ହାୱଡ଼ା ରୁଟରେ କାନପୁର, ପ୍ରୟାଗରାଜ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ପାଟନା ଏବଂ ଆସାନସୋଲ୍ ଭଳି ପ୍ରମୁଖ ଷ୍ଟେସନ୍ ରହିଛି ।
ସେହିପରି ଦିଲ୍ଲୀ-ମୁମ୍ବାଇ ରୁଟରେ ମଥୁରା, କୋଟା, ରତଲାମ, ବଡୋଦରା ଓ ସୁରତ ଭଳି ସହର ଯୋଡ଼ି ହୋଇଛି । ଦିଲ୍ଲୀ-ଚେନ୍ନାଇ ରୁଟରେ ଆଗ୍ରା, ଗ୍ୱାଲିୟର, ଝାନ୍ସୀ, ଭୋପାଳ, ନାଗପୁର ଏବଂ ବିଜୟୱାଡ଼ା ଭଳି ସହର ରହିଛି । ମୁମ୍ବାଇ-ଚେନ୍ନାଇ ରୁଟରେ ପୁଣେ ସମେତ ଦକ୍ଷିଣ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଲାଭବାନ ହେବେ ।
କ୍ୟାବିନେଟ୍ ବିଭିନ୍ନ ରାଜ୍ୟରେ ୮ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛି । ଏହା ମାଧ୍ୟମରେ ରେଳ ନେଟୱର୍କରେ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି ହେବ । ପ୍ରକଳ୍ପଗୁଡ଼ିକର ଆନୁମାନିକ ଖର୍ଚ୍ଚ ୧୦,୭୮୩ କୋଟି ଟଙ୍କା ରହିଛି । ୨୦୨୯-୩୦ ସୁଦ୍ଧା ଏଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
ଏଥିରେ ଖଡ଼ଗପୁର-ଝାରସୁଗୁଡ଼ା (ବାଗଡେହି) ଚତୁର୍ଥ ଲାଇନ୍, କଟନୀ- ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଏବଂ ବିଲାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ୍ ଭଳି ପ୍ରକଳ୍ପ ରହିଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାରେ ଆଉ ୫ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁର କରିଛି । ଏହାର ମୋଟ ଲମ୍ବ ପ୍ରାୟ ୫୪୦ କିଲୋମିଟର ଏବଂ ଆନୁମାନିକ ଖର୍ଚ୍ଚ ୧୦,୦୨୧ କୋଟି ଟଙ୍କା । ଏଗୁଡ଼ିକୁ ମଧ୍ୟ ୨୦୨୯-୩୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରହିଛି ।
ରେଳ କ୍ଷମତା ବଢ଼ିବା ଫଳରେ ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ । ଏହା ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଅଚାନକମାର ଟାଇଗର ରିଜର୍ଭ, ରତନପୁର ମହାମାୟା ମନ୍ଦିର ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ସୁବିଧା ବଢ଼ିବ ।
