BRICS ପୂର୍ବରୁ ହେବ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍‌ରେ ରହିବ Su-57 ଡିଲ୍

Modi putin 750x430

ନୂଆଦିଲ୍ଲୀ: ଦିଲ୍ଲୀରେ BRICS ସମ୍ମିଳନୀ ପୂର୍ବରୁ ହେବ ଭାରତ-ରୁଷିଆର ଏକ ବଡ଼ ଆଲୋଚନା। ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ ଏହାକୁ ନିଶ୍ଚିତ କରିଛନ୍ତି। ଏହି ବୈଠକର ସବୁଠାରୁ ବଡ଼ ଆକର୍ଷଣ ହୋଇପାରେ ରୁଷିଆର ଅତ୍ୟାଧୁନିକ Su-57 ଷ୍ଟିଲ୍ଥ ଫାଇଟର୍ ଜେଟ୍। ଭାରତକୁ Su-57 ବିକ୍ରି ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ, ଏଥର ଏହି ପ୍ରସଙ୍ଗ ବୈଠକରେ ଗୁରୁତ୍ୱ ପାଇପାରେ। ଏହା ସହିତ ଦୁଇ ଦେଶର ବ୍ୟବସାୟ ଓ ଆର୍ଥିକ ସହଯୋଗ ମଧ୍ୟ ଆଲୋଚନାରେ ରହିବ।

କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରି ପେସ୍କୋଭଙ୍କ ଅନୁସାରେ, ବୈଠକରେ ରୁଷିଆର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର୍ ଜେଟ୍ Su-57 ଭାରତକୁ ବିକ୍ରି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ ମଧ୍ୟ ଆଲୋଚନା ହେବ। ରୁଷିଆରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକାର ପ୍ରସ୍ତାବିତ ୧୦୦% ଟାରିଫ୍‌କୁ ମଧ୍ୟ ପେସ୍କୋଭ ତୀବ୍ର ବିରୋଧ କରି ଏହାକୁ “ଅବୈଧ ଓ ଗ୍ରହଣଯୋଗ୍ୟ ନୁହେଁ” ବୋଲି କହିଛି।

ସେପଟେ ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବସିବ ୧୮ତମ BRICS ଶିଖର ସମ୍ମିଳନୀ। ୨୦୨୬ ଜାନୁଆରୀ ୧ରୁ ଭାରତ ଚତୁର୍ଥ ଥର ପାଇଁ BRICS ଅଧ୍ୟକ୍ଷତା ନେଇଛି। BRICSର ୧୧ ଜଣ ପୂର୍ଣ୍ଣ ସଦସ୍ୟ ହେଲେ, ବ୍ରାଜିଲ୍, ଚୀନ୍, ମିଶର, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ UAE। ଏହା ବ୍ୟତୀତ ୧୦ଟି ଦେଶ ପାର୍ଟନର୍ ଭାବେ ରହିଛନ୍ତି।

ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଦକ୍ଷିଣ ଆଫ୍ରିକାର ସିରିଲ୍ ରାମାଫୋସା, ମିଶରର ଅବ୍ଦେଲ୍ ଫତାହ ଏଲ୍-ସିସିଙ୍କ ସମେତ ଅନେକ ବିଶ୍ୱନେତା ଯୋଗଦେବାର ଆଶା ରହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ଯୋଗଦେଇପାରନ୍ତି। ତେବେ ମୋଦି-ପୁଟିନଙ୍କ ଶେଷ ସାକ୍ଷାତ ବିଶ୍କେକ୍‌ର SCO ସମ୍ମିଳନୀରେ ହୋଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧରୁ ଦୂରେଇ ଶାନ୍ତି ଆଡ଼କୁ ବଢ଼ିବାର ଆହ୍ୱାନ ଦେଇଥିଲେ। ତେଣୁ ଏଥରର ବୈଠକରେ ରକ୍ଷା, ବ୍ୟବସାୟ ସହ ବିଶ୍ୱ ଶାନ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ।

Share