ଏହି ଦୂରଦୃଷ୍ଟିସମ୍ପନ୍ନ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ର ରାଜ୍ୟସ୍ତରୀୟ ଶୁଭାରମ୍ଭରେ ମୋର ଦୃଢ ବିଶ୍ବାସ, ଯେ ଏହି ଯୋଜନା ଦ୍ୱାରା ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଚାରୋଟି ଜିଲ୍ଲା – କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡ଼ାକୁ ଚୟନ କରାଯାଇଥିବାରୁ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଶୃତି ଦେଉଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଉଥିବା ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହି ଯୋଜନା ଦ୍ୱାରା ଚାଷୀଭାଇମାନେ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି, ତୈଳବିଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଫସଲର ବିବିଧକରଣ କରିବେ ଏବଂ ଅଧିକ ଅର୍ଥ ରୋଜଗାର କରିପାରିବେ ବୋଲି ସେ କହିଥିଲେ।
ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ ପ୍ରକଳ୍ପ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଏହା ନିର୍ମିତ ହେବ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨,୦୦୦ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ । ଭୁବନେଶ୍ୱର ଓ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର- ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭାଲ୍ୟୁ ଚେନ୍ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ ବୋଲି ସେ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ , ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଉପସ୍ଥିତ ଥିବାବେଳେ, କୃଷି ଶିକ୍ଷା ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ବିଏମ୍ସି କମିଶନର ଶ୍ରୀ ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ, ମହମ୍ମଦ ସାଦିକ୍ ଆଲାମ୍ ଧନ୍ୟବାଦ ଦେଇଥିଲେ।

