Gambling banned29872

କଟକ, : ପବିତ୍ର ମହାନଦୀ କୂଳରେ ଅବସ୍ଥିତ କଟକ ସହରରେ ଏବେ ବେଆଇନ ଜୁଆ କାରବାର ବୃଦ୍ଧି ପାଇବାରେ ଲାଗିଛି, ଯାହା ସହରର ସାମାଜିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି କଟକର ଜନଗହଳିପୂର୍ଣ୍ଣ ମହତାବ ରୋଡ୍ ସ୍ଥିତ ସଙ୍ଗମ ହଲ୍ ନିକଟସ୍ଥ ବାଦାମବାଡ଼ି ଓ ହରିପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ହାଇ-ପ୍ରୋଫାଇଲ୍ ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ଯେ, ଏଭଳି ବେଆଇନ କାର୍ଯ୍ୟକଳାପ ଚାଲୁଥିବା ସତ୍ତ୍ୱେ ସ୍ଥାନୀୟ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ନୀରବଦ୍ରଷ୍ଟା ସାଜିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଜୁଆ ଆଡ୍ଡା ଗୁଡ଼ିକରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏବଂ ପଡ଼ୋଶୀ ରାଜ୍ୟରୁ ମଧ୍ୟ ବହୁ ସମ୍ଭ୍ରାନ୍ତ ବ୍ୟକ୍ତି ଓ ଜୁଆଡ଼ିମାନେ ଏଠାକୁ ଆସି ଏହି ବେଆଇନ ଖେଳରେ ଲିପ୍ତ ରହୁଛନ୍ତି। ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏହା ସାଧାରଣ ଲୋକଙ୍କ ନଜରରେ ଆସୁଛି, ମାତ୍ର ସ୍ଥାନୀୟ ପୋଲିସ ଏହାକୁ ଦେଖି ମଧ୍ୟ ନ ଦେଖିଲା ଭଳି ରହୁଥିବା ଅଭିଯୋଗ ହେଉଛି। ଏପରିକି, କିଛି ସମୟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା କେବଳ ଲୋକଦେଖାଣିଆ ସାବ୍ୟସ୍ତ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସ୍ପେଶାଲ ସ୍କ୍ୱାର୍ଡ ଅନ୍ଧାରରେ ବାଡ଼ି ବୁଲାଉଥିବା ଭଳି କାର୍ଯ୍ୟ କରୁଛି, ଯାହା ପ୍ରକୃତ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି।
ଏଭଳି ବେଆଇନ କାର୍ଯ୍ୟକଳାପ ସମାଜରେ ଅନେକ ନକାରାତ୍ମକ ପ୍ରଭାବ ପକାଉଛି। ଜୁଆ ଖେଳି ଅନେକ ପରିବାର ଆର୍ଥିକ ଅନାଟନର ଶିକାର ହେଉଛନ୍ତି, କିଛି ବ୍ୟକ୍ତି ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ଏହି ଜୁଆ ଆଡ୍ଡା ଗୁଡ଼ିକ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଯଥା – ମଦ୍ୟପାନ, ନିଶାଦ୍ରବ୍ୟ ସେବନ, ଝଗଡ଼ା ଓ ରାହାଜାନୀ ଆଦିର କେନ୍ଦ୍ର ପାଲଟୁଛି। ଏହା ସହରର ଶାନ୍ତିଶୃଙ୍ଖଳା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଛି।
କଟକ ସହରର ସୁରକ୍ଷା ଓ ଶାନ୍ତି ପ୍ରତି ଗୁରୁତ୍ୱ ଦେଇ ଏହି ଜୁଆ ଆଡ୍ଡା ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଜନତା ଦାବି କରିଛନ୍ତି। ସହରର ଡିସିପି ଏହି ସମ୍ବେଦନଶୀଳ ବିଷୟ ଉପରେ ତୁରନ୍ତ ଧ୍ୟାନ ଦେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। କେବଳ ଲୋକଦେଖାଣିଆ ଚଢ଼ାଉ ନୁହେଁ, ବରଂ ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ଏବଂ ସେମାନଙ୍କୁ ସହଯୋଗ କରୁଥିବା ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ସହରକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନର ତତ୍ପରତା ଅପରିହାର୍ଯ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Share