Deccanherald 2025 02 07 c8g7b6h3 salman khan 1068x601

ଇସଲାମାବାଦ: ବଲିଉଡ୍‌ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍‌ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେ​ଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ ବେଲୁଚିସ୍ତାନକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି ଉଲ୍ଲେଖ କରିଥିବାରୁ ପାକିସ୍ତାନ ସରକାର ସଲମାନଙ୍କ ଉପରେ ଏକପ୍ରକାର ଖପ୍ପା ହୋଇପଡିଛନ୍ତି। ପାକ୍‌ ସରକାରଙ୍କ ପକ୍ଷରୁ ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା (ଟେରର ୱାଚ୍‌ଲିଷ୍ଟ)ରେ ରଖାଯାଇଛି।

ସାଉଦି ଆରବର ରାଜଧାନୀ ରିୟାଦ୍‌ରେ ଏହି ଉତ୍ସବ ଆୟୋଜିତ ହୋଇଥିବାବେଳେ ଶାହରୁଖ୍‌ ଓ ଅମିର ଖାନ୍‌ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟପ୍ରାଚ୍ୟରେ ବଲିଉଡ୍‌ ଚଳଚ୍ଚିତ୍ରର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା। ସଲମାନ ତାଙ୍କ ଭାଷଣରେ କହିଥିଲେ ଯେ ଯଦି ଆପଣ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରି ଏହାକୁ ସାଉଦି ଆରବରେ ମୁକ୍ତିଲାଭ କରାଇବେ, ତେବେ ଏହା ସୁପରହିଟ୍‌ ହେବ। ଯଦି ଆପଣ ତାମିଲ, ତେଲୁଗୁ କିମ୍ବା ମାଲାୟଲି ଚଳଚ୍ଚିତ୍ର ନିର୍ମାଣ କରି ମୁକ୍ତିଲାଭ କରାଇବେ, ତେବେ ଏହା କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରିବ; କାରଣ ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ବେଲୁଚିସ୍ତାନ ଭଳି ଦେଶର ଲୋକ ସାଉଦି ଆରବରେ ବାସ କରୁଛନ୍ତି। ବେଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି କହିବା ନିଶ୍ଚିତଭାବେ ବିବାଦୀୟ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଆତଙ୍କବାଦ ନିରୋଧ ଆଇନ ୧୯୯୭ର ୪ର୍ଥ ଅନୁଚ୍ଛେଦରେ ସଲମାନଙ୍କୁ ସାମିଲ କରିଛନ୍ତି। ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଗତିବିଧି, ଆଚରଣ ଉପରେ କଡା ନଜର ରଖାଯାଇଥାଏ।

Share