Afghanistan pakistan peace talks first round file pic 1761401328117 16 9 1068x601

ଇସ୍ତାନବୁଲ: ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି। ଆଲୋଚନାରେ ପାକିସ୍ତାନ ତରଫରୁ ଆଫଗାନିସ୍ତାନକୁ ଆତଙ୍କବାଦୀ ସମାପ୍ତ କରିବା ପାଇଁ ଏକ ତଥ୍ୟ ଭିତ୍ତିକ ଯୋଜନା ପ୍ରଦାନ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଆଲୋଚନା ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା। ପାକିସ୍ତାନ ଓ ତାଲିବାନ ସରକାର ତରଫରୁ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପାକିସ୍ତାନ ତରଫରୁ ୭ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ ଏଥିରେ ଭାଗ ନେଇଥିଲେ। ଏହି ପ୍ରତିନିଧିମଣ୍ଡଳୀ ତରଫରୁ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଓ ଆତଙ୍କବାଦୀଙ୍କୁ ସମାପ୍ତ କରିବା ଦାବି ଦୋହରାଯାଇଥିଲା। ପାକିସ୍ତାନ ଏନେଇ ଏକ ବିସ୍ତୃତ ବିବରଣୀ ତାଲିବାନକୁ ଦେଇଥିଲା, ଯାହାକୁ ତାଲିବାନ କର୍ତ୍ତୃପକ୍ଷଙ୍କ ତରଫରୁ ସମୀକ୍ଷା କରାଯାଉଛି।

ସୀମା ପାର ସୁରକ୍ଷା ଓ ଆତଙ୍କବାଦ ଗତିିବିଧି ରୋକିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା ସଫଳ ହୋଇନଥିବାରୁ ଆଗାମୀ ଦିନରେ ଏହା ଉପରେ ଅଧିକ ଚର୍ଚ୍ଚା ହେବା ଅନୁମାନ କରାଯାଉଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶ ଅସ୍ଥାୟୀ ଶାନ୍ତିରେ ଏକମତ ହୋଇଛନ୍ତି; କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ମିଳିପାରିନି। ବୈଠକରେ ଇସଲାମାବାଦ ଉଭୟ ଦେଶ ମିଶି ସୀମା ପାର୍ ଗତିବିଧି ଉପରେ ନଜର ରଖିବା ସହ ମିଳିତ ପେଟ୍ରୋଲିଂ ଆରମ୍ଭ କରିବା ଉପରେ ପ୍ରସ୍ତାବ ବାଢିଥିଲା; କିନ୍ତୁ ତାଲିବାନ ଏହାକୁ ଅସ୍ବୀକାର କରିଥିଲା। ପାକିସ୍ତାନ ଆଫଗାନ୍ ଶରଣାର୍ଥୀଙ୍କୁ ବାହାର କରିବା ନେଇ ଚେତାବନୀ ଦେଇଥିଲା। ଆଫଗାନ୍ ପ୍ରତିନିଧି ଏହାକୁ ଅମାନବୀୟ ବୋଲି ଦର୍ଶାଇବା ସହ ଏହା ଉଭୟ ଦେଶ ପାଇଁ ଆର୍ଥିକ ସଙ୍କଟ ସୃଷ୍ଟି କରିବ ବୋଲି କହିଥିଲେ।

Share