1890342 la 2894234 1068x712

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମା ଦେଇ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ୧୨୦ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଗତ କିଛିଦିନ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଛି। ସେଠାରେ ଥିବା ଆତଙ୍କବାଦୀ ଶିବିରରେ ଥିବା ପ୍ରାୟ ୧୨୦ଜଣ ଆତଙ୍କବାଦୀ ସୀମା ଡେଇଁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ନିମନ୍ତେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ପିଓକେରେ ଥିବା ୬ଟି ଶିବିରରେ ଏହି ସବୁ ଆତଙ୍କବାଦୀ ରହିଛନ୍ତି। ଗୁଇନ୍ଦା ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ପିଓକେରେ ଯେଉଁ ଆତଙ୍କବାଦୀ ଶିବିର ରହିଛି ସେଗୁଡ଼ିକରେ ପୂର୍ବାପେକ୍ଷା ଅଧିକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଭାରତୀୟ ଡ୍ରୋନ୍‌ ଓ ଉପଗ୍ରହ ଦୃଷ୍ଟି ଏଡ଼ାଇବାକୁ ଏପରି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପିଓକେରେ ଥିବା

ଆତଙ୍କବାଦୀ ଶିବିରରେ ଅଧିକ ସଂଖ୍ୟକ ଆତଙ୍କବାଦୀ ଥିଲେ ତେବେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ ଶିବିରରେ ଅଳ୍ପସଂଖ୍ୟକ ଆତଙ୍କବାଦୀଙ୍କୁ ରଖାଯାଉଛି। ଭାରତରେ ଅନୁପ୍ରବେଶ କରିବା ପାଇଁ ଆତଙ୍କବାଦୀମାନେ ପାରମ୍ପରିକ ପର୍ବତ୍ୟାଞ୍ଚଳ ରାସ୍ତା ସହ ନଦୀ ଓ ଟନେଲ୍‌ର ବ୍ୟବହାର କରିବାକୁ ଯୋଜନା କରୁଛନ୍ତି।
ଲସ୍କର-ଇ-ତୋଇବା, ଜୈସ୍‌-ଇ-ମହମ୍ମଦ, ହିଜବୁଲ୍ ମୁଜାହିଦ୍ଦିନ, ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟର ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା ଚଳାଇଛନ୍ତି। ପିଓକେରେ ଆତଙ୍କବାଦୀ ଶିବିର ପୁନଃସ୍ଥାପନ ସହ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ନିମନ୍ତେ ପାକିସ୍ତାନ ସେନା ଓ ଆଇଏସ୍‌ଆଇ ସବୁପ୍ରକାର ସହାୟତା ଯୋଗାଇ ଦେଉଥିବା ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ସେନା ଓ ଆଇଏସ୍‌ଆଇ ତରଫରୁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ତାଲିମ, ଆର୍ଥିକ ସହାୟତା, ଗୁଇନ୍ଦା ସୂଚନା ପ୍ରଦାନ କରାଯାଉଛି।

Share