କୋଟା: ରାଜସ୍ଥାନର କୋଟା ଜିଲ୍ଲାର ଜବାହାର ନଗର ଥାନା ଅଞ୍ଚଳର ତାଳୱାଣ୍ଡି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡୁଛି । ଏହି କୋଠାର ଉପର ମହଲାରେ କାମ ଚାଲିଥିଲାବେଳେ ଏପରି ଘଟଣା ଘଟିଥିବା ସୂଚନା ମିଳୁଛି । କୋଠା ଭୁଶୁଡ଼ିବା ସମୟରେ କେତେ ଲୋକ କାମ କରୁଥିଲବେଳେ ଆଉ କେତେକ ଲୋକ ସେଠାରେ ଥିବା ଏକ ଦୋକାନ ଭିତରେ ଥିଲେ । ତାହା ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, କିନ୍ତୁ କିଛି ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ କୋଟାରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ତାଳୱାଣ୍ଡି ଅଞ୍ଚଳରେ ଏହି କୋଠା ଭିତରେ ଏକ ରେଷ୍ଟୁରାଣ୍ଟ ଚାଲୁଥିଲା। ଘଟଣା ସମୟରେ କିଛି ଗ୍ରାହକ ଏବଂ ୧୨ ରୁ ୧୫ ଜଣ ରେଷ୍ଟୁରାଣ୍ଟ କର୍ମଚାରୀ ଉପସ୍ଥିତ ଥିଲେ । ଯେଉଁମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହ ଦଳଗୁଡ଼ିକ ବର୍ତ୍ତମାନ ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବନ୍ଦ କରିଦିଆଯାଇଛି ।
ଅନ୍ୟପଟେ ପଛ କୋଠାରେ କାମ ଚାଲିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ହଠାତ୍ ବାଣ ଫୁଟିବା ପରି ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସେମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଭିତରୁ ସାହାଯ୍ୟ ପାଇଁ ମଧ୍ୟ ଚିତ୍କାର ଶୁଣାଯାଉଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଟାର ଦକ୍ଷିଣ ବିଧାୟକ ସନ୍ଦୀପ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଛି । ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ପୋଲିସ ଏବଂ ପ୍ରଶାସନ ଦଳ ଠିକ୍ ସମୟରେ ପହଞ୍ଚିଛନ୍ତି । ୮ରୁ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ଲୋକ ଫସି ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

