ଶକ୍ତି କ୍ଷେତ୍ର ଯୋଜନା ପାଇଁ ୬୫,୯୨୬ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ କରାଯାଇଛି। ଯାହା ୨୦୨୫-୨୬ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ନମାମି ଗଙ୍ଗେ ଏବଂ ଗ୍ରାମୀଣ ଜଳ ଯୋଗାଣ ପାଇଁ ପ୍ରାୟ ୨୨,୬୭୬ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି । ଗଙ୍ଗାକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ଏଥିରେ ଦୂଷିତ ଜଳ ପ୍ରବାହକୁ ରୋକିବା ପାଇଁ ମୋଟ ୭୪ଟି ସ୍ଵରେଜ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏପର୍ଯ୍ୟନ୍ତ, ୪୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି। ଏବଂ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି। ରାସ୍ତା ଏବଂ ସେତୁ ନିର୍ମାଣ, ପ୍ରଶସ୍ତୀକରଣ ଏବଂ ରକ୍ଷଣାବେକ୍ଷଣ ପାଇଁ ୩୪, ୪୬୮ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ। ରାଜ୍ୟରେ ଉତ୍ତର-ଦକ୍ଷିଣ କରିଡରର ବିକାଶ ପାଇଁ ରାସ୍ତା ପ୍ରଶସ୍ତୀକରଣ, ସୁଦୃଢ଼ୀକରଣ ଏବଂ ନିର୍ମାଣ ପାଇଁ ୪୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି।
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ହେଉଛି ଯୋଗୀ ସରକାରଙ୍କ ଦଶମ ବଜେଟ୍। ଅର୍ଥମନ୍ତ୍ରୀ ଭାବରେ ସୁରେଶ ଖାନ୍ନା ସକାଳ ୧୧ଟାରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ଗତ ନଅ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ନିଜର ଧାରଣା ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରିଛି। ଏହି ବଜେଟ୍ ସେହି ଭାବନାକୁ ପ୍ରତିନିଧିତ୍ୱ କରେ। ୯ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହି ବଜେଟ୍ ଥିମ୍ ସୁରକ୍ଷିତ ମହିଳା, ସକ୍ଷମ ଯୁବକ, ସମୃଦ୍ଧ ଚାଷୀ ଏବଂ ପ୍ରତ୍ୟେକ ହାତ ପାଇଁ କାମ ପାଇଁ ଉତ୍ସର୍ଗୀକୃତ। ସେ କହିଛନ୍ତି,”ଏହା ପ୍ରଥମଥର ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଦଶମ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି।”
କେବଳ ନୂତନ ଯୋଜନା ପାଇଁ ବଜେଟରେ ୪୩,୫୬୫ କୋଟିରୁ ଅଧିକ ପ୍ରସ୍ତାବ ଦିଆଯାଇଛି। ପୁଞ୍ଜି ଖର୍ଚ୍ଚ ପାଇଁ ୨ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ମହିଳା ଛାତ୍ରାବାସ ନିର୍ମାଣ କରାଯିବ ଏବଂ ସମସ୍ତ ବିକାଶ ବ୍ଲକରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖୋଲିବ। ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ମିଳିବ। ଏବଂ ବଜେଟରେ ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡ ସମେତ ପଛୁଆ ଅଞ୍ଚଳ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଗୃହ ନିର୍ମାଣ ଏବଂ ସହର ଯୋଜନା ପାଇଁ ୭, ୭୦୫ କୋଟିର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହରାଞ୍ଚଳ ବିସ୍ତାର/ନୂତନ ସହର ପ୍ରୋତ୍ସାହନ ଯୋଜନା ପାଇଁ ୩,୫୦୦ କୋଟିର ବ୍ୟବସ୍ଥା ପ୍ରସ୍ତାବିତ। ଏହି ଯୋଜନା ଅଧୀନରେ ୩୫ ବର୍ଷ ପରେ ମେରଠରେ, ୩୩ ବର୍ଷ ପରେ ଆଗ୍ରାରେ, ୨୨ ବର୍ଷ ପରେ ଲକ୍ଷ୍ନୌରେ ଏବଂ ପ୍ରଥମ ଥର ପାଇଁ ବୁନ୍ଦେଲସହରରେ ଏକ ଶିଳ୍ପ ଯୋଜନା ଆରମ୍ଭ କରାଯାଇଛି।

