ନୂଆଦିଲ୍ଲୀ : ଭାରତକୁ ମିଳିବ ଆଉ ୧୧୪ଟି ରାଫେଲ ଯୁଦ୍ଧ ବିମାନ । ୩.୬୦ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ । ଭାରତର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ’ ବୈଠକରେ ପ୍ରାୟ ୩.୬୦ ଲକ୍ଷ କୋଟି ଟଙ୍କାର ସାମରିକ ସରଞ୍ଜାମ କିଣିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । କେବଳ ୧୧୪ଟି ରାଫେଲ୍ ବିମାନ ପାଇଁ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ ।
ଏଥିରେ ବିମାନ ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ପାଇଲଟଙ୍କ ତାଲିମ ଏବଂ ସ୍ପେୟାର ପାର୍ଟସ୍ ସାମିଲ ରହିଛି । ମୋଟ ୧୧୪ଟି ବିମାନ ମଧ୍ୟରୁ ୧୮ଟି ବିମାନ ସିଧାସଳଖ ଫ୍ରାନ୍ସରୁ ଅଣାଯିବ । ବାକି ୯୬ଟି ବିମାନ ଫ୍ରାନ୍ସ କମ୍ପାନୀ ସହାୟତାରେ ଭାରତରେ ହିଁ ନିର୍ମାଣ କରାଯିବ । ଏଥିପାଇଁ ଭାରତର ଘରୋଇ କମ୍ପାନୀଗୁଡ଼ିକ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଜରିଆରେ କାମ କରିବେ ।
ଏହି ନୂଆ ରାଫେଲ୍ ଗୁଡ଼ିକରେ ପ୍ରାୟ ୩୦ ରୁ ୫୦ ପ୍ରତିଶତ ଭାରତୀୟ ଯନ୍ତ୍ରାଂଶ ବ୍ୟବହାର କରାଯିବ । ବିଶେଷ କରି ଭାରତର ଶକ୍ତିଶାଳୀ ‘ବ୍ରାହ୍ମୋସ’ ଏବଂ ‘ଅସ୍ତ୍ର’ ମିସାଇଲ୍ ଏଥିରେ ଖଞ୍ଜାଯିବ। ଯାହା ଏହାର ଶକ୍ତିକୁ ଅନେକ ଗୁଣ ବଢ଼ାଇ ଦେବ । ବର୍ତ୍ତମାନ ଏହି ପ୍ରସ୍ତାବକୁ ପ୍ରାଥମିକ ସ୍ତରରେ ‘AoN’ ବା ଜରୁରୀକାଳୀନ ଆବଶ୍ୟକତାର ମଞ୍ଜୁରୀ ମିଳିଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା କ୍ୟାବିନେଟ୍ କମିଟି ଅନ୍ତିମ ନିଷ୍ପତ୍ତି ନେବେ ।
ବାୟୁସେନାରେ ପୁରୁଣା ହୋଇଯାଇଥିବା ମିଗ୍-୨୧ ବିମାନଗୁଡ଼ିକ ଅବସର ନେଉଥିବାରୁ ଯୁଦ୍ଧ ବିମାନର ଅଭାବ ଦେଖାଦେଇଛି । ଏହି ୧୧୪ଟି ରାଫେଲ୍ ସେହି ଅଭାବକୁ ଦୂର କରିବ । ଏହାସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଆସନ୍ତା ଫେବୃଆରୀ ୧୭ରେ ଭାରତ ଗସ୍ତରେ ଆସୁଥିବାରୁ ଏହି ଡିଲ୍ ଦୁଇ ଦେଶର ବନ୍ଧୁତାକୁ ଆହୁରି ସୁଦୃଢ କରିବ । ରାଫେଲ୍ ବ୍ୟତୀତ ନୌସେନା ପାଇଁ ଆମେରିକାରୁ ୬ଟି P-8I ପାଟ୍ରୋଲିଂ ବିମାନ ଏବଂ ସୀମାରେ ନଜର ରଖିବା ପାଇଁ ହାଇଟେକ୍ ସାଟେଲାଇଟ୍ (AS-HAPS) କିଣିବାକୁ ମଧ୍ୟ ଅନୁମତି ମିଳିଛି ।

