Imran khan

ନୂଆଦିଲ୍ଲୀ : ଜେଲରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା । ଜେଲରେ ଇମ୍ରାନ ଖାନ ହରାଇଲେ ତାଙ୍କ ଦୃଷ୍ଟିଶକ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଇମ୍ରାନଙ୍କ ଆଇନଜୀବୀ । ଜେଲ୍ ରେ ତାଙ୍କୁ ଠିକ୍ ଭାବେ ଚିକିତ୍ସା ସେବା ମିଳିପାରିନାହିଁ । ତେଣୁ ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ୮୫% କମିଯାଇଛି । ଏବେ ଇମ୍ରାନଙ୍କୁ ମାତ୍ର ୧୫% ଦୃଶ୍ୟମାନ ହେଉଛି। ତାଙ୍କର ରେଟିନାଲ ଭେନ ଓକ୍ଲୁଜନ ନାମକ ସମସ୍ୟା ହୋଇଛି । ଠିକ୍ ସମୟରେ ଚିକିତ୍ସା ନହେବାରୁ ସ୍ଥାୟୀ ଭାବେ ଆଖିକୁ ନଷ୍ଟ କରିଦେଇଛି । ଏନେଇ ଇମ୍ରାନଙ୍କ ଓକିଲ ସଲମାନ ସଫଦର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଜେଲରେ ଠିକ୍ ସମୟରେ ଚିକିତ୍ସା ନମିଳିବା କାରଣରୁ ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ୮୫% କମିଯାଇଥିବା ସେ ଅଭିଯୋଗ କରିଛନ୍ତି ।

୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଇମ୍ରାନଙ୍କ ଦୃଷ୍ଟି ଶକ୍ତି ଠିକ୍ ଥିଲା । କିନ୍ତୁ ପରେ ତାଙ୍କୁ ଝାପସା ଦେଖା ଯାଇଥିଲା । ବାରମ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ତାଙ୍କୁ କେବଳ ସାଧାରଣ ଆଇ ଡ୍ରପ ଦିଆଯିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ସଫଦର ଅଭିଯୋଗ କରିଛନ୍ତି । ଇମ୍ରାନଙ୍କ ପରିବାର ଏବଂ ତାଙ୍କ ଦଳ PTI ଅଭିଯୋଗ କରିଛି ଯେ, ୯୨୨ ଦିନ ଧରି ଏକାକୀ ଜେଲ୍ କୋଠରୀରେ ରଖିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅନୁମତି ନଦେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଅନ୍ୟପଟେ ଏହି ସୂଚନା ପାଇବା ପରେ ପାକିସ୍ତାନ ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୬ ସୁଦ୍ଧା ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି । ଏହା ସହିତ କୋର୍ଟ ଇମ୍ରାନଙ୍କୁ ବିଦେଶରେ ଥିବା ତାଙ୍କ ପୁଅଙ୍କ ସହ ଫୋନରେ କଥା ହେବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

Share