Indian student 1

ଆମେରିକା : ଫେବୃଆରୀ ୯ ତାରିଖରୁ ଆମେରିକାରେ ନିଖୋଜ ଥିବା ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଯାହାର ସୂଚନା ସାନ ଫ୍ରାନ୍ସିସ୍କୋର ଭାରତୀୟ କନସୁଲେଟ୍ ଦେଇଛି । କର୍ଣ୍ଣାଟକର ଟୁମାକୁରୁ ଜିଲ୍ଲାର ବାସିନ୍ଦା ସାକେତ ଶ୍ରୀନିବାସୈୟା ବର୍କଲିର କାଲିଫର୍ନିଆ ୟୁନିଭର୍ସିଟିରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିବା ଜଣାପଡିଛି । ଶେଷ ଥର ପାଇଁ କାଲିଫର୍ନିଆର ଟିଲଡେନ୍ ଆଞ୍ଚଳିକ ପାର୍କ ପାଖରେ ଥିବା ଏକ ହ୍ରଦ ନିକଟରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ, ଭାରତୀୟ କନସୁଲେଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ସ୍ଥାନୀୟ ପୋଲିସ ସାକେତଙ୍କ ମୃତଦେହ ଉଦ୍ଧାର ହେବା ନିଶ୍ଚିତ କରିଛି । ଦୂତାବାସ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି । ଦୂତାବାସ ଏହା ମଧ୍ୟ କହିଛି ଯେ, ଏହା ସ୍ଥାନୀୟ ଅଧିକାରୀଙ୍କ ସହିତ ସମନ୍ୱୟ ରଖିବା ସହିତ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇବ । କନସୁଲେଟର୍ ଅଧିକାରୀମାନେ ପରିବାର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକୀୟ ଔପଚାରିକତାରେ ମଧ୍ୟ ସହାୟତା କରୁଛନ୍ତି ।

ଏହାରି ମଧ୍ୟରେ ସାକେତଙ୍କ ବାପା କହିଛନ୍ତି ଯେ, ତାଙ୍କ ପୁଅ ସହିତ ଶେଷ ଥର ପାଇଁ ଫେବୃଆରୀ ୯ ତାରିଖରେ କଥା ହୋଇଥିଲେ । ତାଙ୍କ ନିଖୋଜ ହେବା ପରେ ପରିବାର ଏବଂ ବନ୍ଧୁଙ୍କ ସହିତ ଯୋଗାଯୋଗ କରିଥିଲେ । କୌଣସି ସୂଚନା ନ ମିଳିବାରୁ ବର୍କଲି ପୋଲିସ ବିଭାଗରେ ଅଭିଯୋଗ କରାଯାଇଥିଲା । ସାକେତଙ୍କ ବାପା-ମା ୧୩ ଫେବୃଆରୀରେ କର୍ଣ୍ଣାଟକ ସରକାରଙ୍କୁ ସାହାଯ୍ୟ ମାଗିଥିଲେ । କର୍ଣ୍ଣାଟକ ସରକାର ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବାକୁ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଅନୁରୋଧ କରିଥିଲେ ।

Share