ଏହି ଶକ୍ତି ମହାସଙ୍କଟରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। ଏପ୍ରିଲ ଏବଂ ମେ’ ମାସରେ ଭାରତୀୟ ବଜାରରେ ଇନ୍ଧନ ଦରରେ ବୃଦ୍ଧି ଦେଖାଦେଇଛି। ଯୁଦ୍ଧ ଆରମ୍ଭ ସମୟରେ ଭାରତ ପାଖରେ ୭୪ ଦିନର ତୈଳ ମହଜୁଦ ଥିବାବେଳେ, ମେ’ ମାସ ମଧ୍ୟଭାଗ ସୁଦ୍ଧା ଏହା ହ୍ରାସ ପାଇ ମାତ୍ର ୬୦ ଦିନକୁ ଚାଲିଆସିଛି। ଏହା ଭାରତର ଶକ୍ତି ସୁରକ୍ଷା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟ ସଙ୍କଟର ସମାଧାନ ପାଇଁ ଚାଲିଥିବା ଶାନ୍ତି ଆଲୋଚନା ଏବେ ସ୍ଥଗିତ ରହିଛି। ଆମେରିକା ଦାବି କରିଛି ଯେ ଇରାନ ତାର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁ। ଅପରପକ୍ଷରେ, ଇରାନ ଯୁଦ୍ଧକ୍ଷତିର ଭରଣା ଏବଂ ତୈଳ ସଂକ୍ରାନ୍ତୀୟ ପ୍ରତିବନ୍ଧକ ହଟାଇବାକୁ ଜିଦ୍ ଧରିଛି।