Jee and neet

ନୂଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ । NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା । ଏନେଇ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । କେନ୍ଦ୍ର ସରକାର ଏବେ NEET ଏବଂ JEE ଭଳି ପୃଥକ ପରୀକ୍ଷା ବଦଳରେ ଏକ ମିଳିତ ବା ୟୁନିଫାଇଡ୍ ପ୍ରବେଶିକା ପରୀକ୍ଷା (Unified Entrance Exam) କରିବାକୁ ବିଚାର କରୁଛନ୍ତି ।

ଏକ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ତେବେ ଏହା ଏବେ କେବଳ ପ୍ରାଥମିକ ଆଲୋଚନା ସ୍ତରରେ । କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ପରୀକ୍ଷା ଗୋଟିଏ ହେବ, କିନ୍ତୁ ଏଥିରେ ଭିନ୍ନ ଭିନ୍ନ ସେକ୍ସନ ରହିବ । ଏହା ପରେ ବିଷୟ ଚୟନ । ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ (Mathematics) ଏବଂ ମେଡିକାଲ୍ ଆଶାୟୀଙ୍କ ପାଇଁ ଜୀବବିଜ୍ଞାନ (Biology) ପେପର ରହିବ । ଏହା ଦ୍ୱାରା ପିଲାମାନେ ଗୋଟିଏ ଦିନରେ ନିଜ ନିଜ ଯୋଗ୍ୟତା ଅନୁସାରେ ପରୀକ୍ଷା ଦେଇପାରିବେ । ସରକାରଙ୍କ ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ ଭିଜନ ଅଧୀନରେ ଏହି ପଦକ୍ଷେପ ନିଆଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପିଲାମାନଙ୍କ ଉପରୁ ମାନସିକ ଚାପ କମାଇବା । କାରଣ ସେମାନଙ୍କୁ ଏକାଧିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏହା ସହ ନାମଲେଖା ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା । ସମଗ୍ର ପରୀକ୍ଷା ପରିଚାଳନାକୁ ଅଧିକ ଦକ୍ଷ କରିବା ।

ଏହା ବ୍ୟତୀତ ପରୀକ୍ଷା ସଂଖ୍ୟା ସୀମା ଉପରେ ଆଲୋଚନା ହୋଇଛି । ଜଣେ ପରୀକ୍ଷାର୍ଥୀ ସର୍ବାଧିକ କେତେଥର ପରୀକ୍ଷା ଦେଇପାରିବେ, ତାହାର ସୀମା ନିର୍ଦ୍ଧାରଣ ହୋଇପାରେ । NEET ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମାକୁ ଅନ୍ୟ ପରୀକ୍ଷା ସହ ସମାନ କରାଯିବ । ପରୀକ୍ଷା ଲିକ୍ ଏବଂ ଦୁର୍ନୀତି ରୋକିବା ପାଇଁ ଏକାଧିକ ସେସନ୍ ଓ ପର୍ଯ୍ୟାୟରେ ପରୀକ୍ଷା କରାଯିବ।

ଆସନ୍ତା ଶିକ୍ଷାବର୍ଷରୁ NEET-UG ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟର-ଭିତ୍ତିକ କରାଯିବ । ନିକଟରେ NEET-UG 2026 ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ଏବଂ ପରୀକ୍ଷା ବାତିଲ ଭଳି ବିବାଦ ଦେଖାଦେଇଥିଲା । ଏହି ଘଟଣା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଦାବି ଜୋର ଧରିଛି । ଡ. କେ. ରାଧାକୃଷ୍ଣନ କମିଟିର ସୁପାରିଶ ଆଧାରରେ NTA ମହାନିର୍ଦ୍ଦେଶକ ଅଭିଷେକ ସିଂ ଏବଂ ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲକୁ ଏହି ସୂଚନା ଦେଇଛନ୍ତି । ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ CBI ତଦନ୍ତ ସହ NTA ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଉଛି । ତେବେ ଏହି ନୂଆ ନିୟମ କେବେଠାରୁ ଲାଗୁ ହେବ, ସେ ନେଇ କୌଣସି ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

Share