ଆନନ୍ଦପୁର: ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ଲିକେଜ୍ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମରାମତି ପାଇଁ ରାସ୍ତା ମଝିରେ ଏକ ବିରାଟ ଗଭୀରର ଗାତ ଖୋଳାଯାଇଥିଲା । କିନ୍ତୁ ଆଉ ମରାମତି କରାଗଲାନି କି ଖାଲଟିକୁ ପୋତାଯାଇନଥିବା ଅଭିଯୋଗ ହୋଇଛି । ଗାଁର ଅରୁଣ ଖଣ୍ଡେଇଙ୍କ ଦୁଇ ବର୍ଷର ପୁଅ ଖେଳୁ ଥିବା ବେଳେ ଏହି ଖାଲରେ ପଡିଯାଇଥିଲେ । ଖୋଜା ଖୋଜି କରିବା ପରେ ଶିଶୁର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି ।
ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶିଶୁର ପରିବାରକୁ କ୍ଷତିପୂରଣ ସହ ଖାଲ ପୋତିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ୫ବର୍ଷ ପୂର୍ବେ ଗାଁରେ ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ଲିକ୍ କରିବାରୁ କମ୍ପାନି କର୍ତ୍ତୃପକ୍ଷ ପାଇପ୍ ମରାମତି ପାଇଁ ରାସ୍ତା ମଝିରେ ଏକ ବିରାଟ ଗଭୀରର ଗାତ ଖୋଳିଦେଇଥିଲେ କିନ୍ତୁ ଆଉ ମରାମତି କରିନଥିଲେ କି ଗାତକୁ ପୋତିନଥିଲେ । ଯାହା ଫଳରେ ଆଜି ଏ ଅଘଟଣ ଘଟିଛି ।

