ମୟୂରଭଞ୍ଜ: କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବାଉଁଶ ବଣି କାଜୁ ଜଙ୍ଗଲରୁ କଙ୍କାଳ ଜବତ। କଙ୍କାଳ ଚାଲୁଣିଆ ଗାଁର ଲାଖାଇ ମାଝୀଙ୍କ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସେ ଆଠ ମାସ ତଳୁ ନିଖୋଜ ଥିଲେ ।
ଗତ ସେପ୍ଟେମ୍ବର ମାସରେ ଚାଲୁଣିଆ ଗାଁର ଲାଖାଇ ମାଝୀ ଘରୁ କୁଆଡେ ପଳାଇ ଯାଇଥିଲେ । ଏ ନେଇ ଚାନ୍ଦୁଆ ଥାନାରେ ସେପ୍ଟେମ୍ବର ୨୪ରେ ଲିଖିତ ଅଭିଯୋଗ ହୋଇଥିଲା । ଗତକାଲି ବାଉଁଶ ବଣି ଗାଁର ଲୋକମାନେ କାଜୁ ଜଙ୍ଗଲକୁ ଯାଇଥିବା ବେଳେ ହାଡ କଙ୍କାଳ ପଡ଼ିଥିବାର ଦେଖିଥିଲେ । ଏନେଇ ଚାନ୍ଦୁଆ ଥାନା ପୋଲିସକୁ ଖବର ଦେଇଥିଲେ । ଚାନ୍ଦୁଆ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ କୁଳିଅଣା ଅତିରିକ୍ତ ତହସିଲଦାର ପହଞ୍ଚି ତଦନ୍ତ କରିଛନ୍ତି । ଆଜି ଖବର ପାଇ ତାଙ୍କ ଭଣଜା ଘଟଣା ସ୍ଥଳରେ ପହଞ୍ଚି ସାର୍ଟ ଦେଖି ତାହା ତାଙ୍କ ମାମୁଙ୍କର ବୋଲି ଚିହ୍ନଟ କରିଥିଲେ । ପୋଲିସ ହାଡ ଗୁଡିକ ସଂଗ୍ରହ କରି ଅଧିକ ପରୀକ୍ଷା ପାଇଁ ପଠାଇବା ସହିତ ମୃତକଙ୍କ ପରିବାରଙ୍କ ସହିତ ଡିଏନ୍ଏ ଟେଷ୍ଟ କରାଇବ ବୋଲି କହିଛନ୍ତି । ଅନ୍ୟ କେଉଁ ସ୍ଥାନରୁ ହାଡ଼ କଙ୍କାଳ ଆଣି ଏଠାରେ ଫିଙ୍ଗା ଯାଇଥିବା ନେଇ ଅନୁମାନ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି ।

