ଗତ ୨୪ ଘଣ୍ଟା ଭିତରେ ବ୍ରହ୍ମପୁରରେ ୩ ଟି ଏନକାଉଣ୍ଟର ହୋଇସାରିଛି। ସୋମବାର ଭୋରୁ ଜଗନ୍ନାଥ ସାହୁ ଓରଫ ଜଗା ନାମକ ଜଣେ ପୁରୁଣା ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଥିଲା।
ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ଏଥର ପୁଲିସ ଗୁଳିରେ ୨ ଜଣ ପୁରୁଣା ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବରଗଡ଼ ଥାନା ନଉଗାଁର ରଞ୍ଜନ ମଲ୍ଲିକ(୨୭) ଓ ହିଞ୍ଜିଳିକାଟୁ ଥାନା ସିକିରୀ ପାଢ଼ୀ ସାହିର ସରୋଜ ପଣ୍ଡା(୩୫)।
ପୁଲିସ ଏନକାଉଣ୍ଟରରେ ଆହତ ହେବାପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ୨ ଅଭିଯୁକ୍ତ ବହୁ ଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ ବୋଲି ସୂଚନା ମିଳିଛି । ଘଟଣା ପରଠାରୁ ଉଭୟ ଫେରାର ଥିଲେ । ସେମାନେ ରାଜସ୍ଥାନରେ ଥିବା ଜଣା ପଡିବା ପରେ ଏକ ପୁଲିସ ଟିମ ସେଠାକୁ ଯାଇ ମୋଟ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରି ରାଜସ୍ଥାନରୁ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଆଣୁଥିଲେ । ଏହି ସମୟରେ ଉପରୋକ୍ତ ଦୁଇ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ରଞ୍ଜନ ଓ ସରୋଜକୁ ଏନକାଉଣ୍ଟର କରିଥିଲା । ବର୍ତ୍ତମାନ ଏମକେସିଜି ମେଡିକାଲରେ ପୁଲିସ ଅଧିକାରୀଙ୍କ ଭିଡ ଲାଗିରହିଛି ।

