Rahman

କଟକ : ବହୁ ଚର୍ଚ୍ଚିତ ଅଲକାଏଦା ଆତଙ୍କବାଦୀ ଲିଙ୍କ ଘଟଣାରେ ୨୦୧୫ ମସିହାରେ ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ । କଟକ ଜିଲ୍ଲା ଦୌରା ଜଜ କୋର୍ଟ ଅବଦୁର ରହମାନ ମାମଲାର ୭୪ ପୃଷ୍ଠାର ରାୟ ଦେଇ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ରହମାନ ବିରୋଧରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ୍ କରିଥିବା ଦେଶଦ୍ରୋହ ମାମଲାରେ କଟକ ଜିଲ୍ଳା ଦୌରା ଜଜ କୋର୍ଟ ଆଜି ଚୂଡାନ୍ତ ରାୟ ଦେଇଛନ୍ତି ।

ପୂର୍ବରୁ ଜାମସେଦପୁର କୋର୍ଟ ଅଵଦୂର ରହମାନ ନାମରେ ଥିବା ଅନ୍ୟ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ କରିଥିବା ମାମଲାରେ ରହମାନ ଦିଲ୍ଲୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷର ସଜା ପାଇଥିଲା। ତେବେ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ରହମାନର ସଂପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଓ ଏନଆଇଏ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରେ ଡିସେମ୍ବର ୨୦୧୫ ରେ ମସିହାରେ ଡିସେମ୍ବର ୧୫ ତାରିଖ ରାତିରେ ଚଢ଼ାଉ କରି ରହମାନକୁ ଗିରଫ କରିଥିଲେ।

ଏହା ପରେ ଜଗତପୁର ଥାନା ତା ନାଁରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ କ୍ରାଇମବ୍ରାଞ୍ଚ ଦେଶଦ୍ରୋହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଜାମସେଦପୁର ଓ ଦିଲ୍ଲୀ କୋର୍ଟରେ ମଧ୍ୟ ରହମାନ ନାଁରେ ଦେଶଦ୍ରୋହ ଓ ଆତଙ୍କବାଦ କାର୍ଯ୍ୟକଳାପ ନେଇ ମାମଲା ରୁଜୁ ହୋଇଥିଲା ।

Share