Koraput 1

କୋରାପୁଟ: ୧୨ ବର୍ଷ ସେବା କରିବା ପରେ ଚାକିରିରୁ ଛଟେଇ । ଅଭିଯୋଗ ଶିବିରରେ ଭାଙ୍ଗିପଡ଼ିଲେ ଅନାଥ ଯୁବତୀ । ସଙ୍ଗିତା କୁମାରୀ ମୁଦୁଲିଙ୍କ ଆଖିରୁ ଲୁହ ଶୁଖୁନି । ଯୁବତୀ ଜଣକ ଅଭିଯୋଗ ଶିବିରରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ଗୁହାରି କରିଥିଲେ । ଆଖିରେ ଲୁହ ହାତରେ ଆବେଦନ ପତ୍ର ଆଉ ମୁହଁରେ ଅସହାୟତାର ଚିତ୍ର । କୋରାପୁଟ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ନିଜକୁ ଅନାଥ ବୋଲି କହିଥିଲେ ଯୁବତୀ । ଚାକିରି ହରାଇବା ପରେ ଏବେ କିପରି ଜୀବନ ଚାଲିବ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଚାକିରି ନମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କାନ୍ଦି କାନ୍ଦି କହିଛନ୍ତି ଯୁବତୀ ।

କୋରାପୁଟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ। ଦୀର୍ଘ ୧୨ ବର୍ଷ ଧରି ମାନସ ବିଦ୍ୟାଳୟରେ ମାତ୍ର ୨୫ଶହ ଟଙ୍କା ଦରମାରେ କେୟାର ଟେକର ଭାବେ କାମ କରୁଥିଲେ । ରେଗୁଲାର ପୋଷ୍ଟ ବାହାରିବା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଚାକିରି ହରାଇ ଜୀବନ ଜୀବିକା ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଯୁବତୀ । ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share