କୋଲକତା : ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ।
କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ, ସବସିଡିଯୁକ୍ତ ଖାଦ୍ୟ ପୁରା ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗରେ ମମତା ସରକାର ସମୟରେ କ୍ୟାଣ୍ଟିନ ହୋଇଥିଲା । ଏଠାରେ ୫ ଟଙ୍କା ଅଣ୍ଡା-ଭାତ ମିଳୁଥିଲା । କିନ୍ତୁ ଏବେ ଶ୍ରମିକ ଠାରୁ ଆରମ୍ଭ କରି ଅଟୋ ରିକ୍ସା ଚଲାଉଥିବା ଲୋକ ମଧ୍ୟ ୫ ଟଙ୍କାରେ ଭାତ-ମାଛ ଖାଇପାରିବ ।
ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମସିର ଅଭିଯୋଗର ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି । କାରଣ ନିର୍ବାଚନ ସମୟରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ, ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ । ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ ।

