ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାର କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି । ଆଗାମୀ ଦିନରେ ଏହି କ୍ଷେତ୍ର ଉପରେ ଅଧିକ ଚାପ ପଡ଼ିବା ଆଶଂକା କରାଯାଉଛି । ସରକାରୀ ସୂତ୍ର ଅନୁସାରେ ବୈଶ୍ୱିକ ଯୋଗାଣ ସହ ଜଡ଼ିତ ଆହ୍ୱାନ ଓ ଖର୍ଚ୍ଚ ବୃଦ୍ଧି କାରଣରୁ ସାର ମୂଲ୍ୟରୁ ଶୀଘ୍ର ଆଶ୍ୱସ୍ତି ମିଳିବା ସମ୍ଭବନା ନାହିଁ ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, ଏହି ଚାପକୁ ଦେଖି ସାର ମନ୍ତ୍ରଣାଳୟ ଚଳିତ ବର୍ଷ ପାଇଁ ୧.୭୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ଉପରରେ ସବସିଡି ୧୦୦% ବୃଦ୍ଧି ପାଇଁ ଦାବି କରିଛି ।
ସୂତ୍ର ଅନୁଯାୟୀ, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ କଞ୍ଚାମାଲର ବିଶ୍ୱବ୍ୟାପୀ ମୂଲ୍ୟ ବୃଦ୍ଧି କମ୍ପାନିଗୁଡ଼ିକର ମାର୍ଜିନ୍ ଉପରେ ଚାପ ପକାଇଛି । ଏହା ସହ ସାର ଉତ୍ପାଦନ ପାଇଁ ଆବଶ୍ୟକୀୟ ଉପକରଣର ଉପଲବ୍ଧତା ମଧ୍ୟ ସୀମିତ ରହିଛି ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତ ୟୁରିଆ ଏବଂ ଡିଏପି ଭଳି ସାର ସହିତ ୟୁରିଆ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ତରଳ ପ୍ରାକୃତିକ ଗ୍ୟାସ (LNG) ଆମଦାନୀ କରେ । ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଏବଂ ଗ୍ରାହକ ଭାବରେ, ଭାରତ ଏହାର ପ୍ରାୟ ୯୦% ତେଲ ଆମଦାନୀ କରିଥାଏ । ଏହା ବ୍ୟତୀତ, ବିଶ୍ୱ ଶକ୍ତି ଯୋଗାଣରେ ଯୁଦ୍ଧର ଦୀର୍ଘକାଳୀନ ବାଧା ପାଇଁ ସବୁଠାରୁ ଅଧିକ ସମ୍ବେଦନଶୀଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ।
ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, “ଆର୍ଥିକ ବର୍ଷର ମାତ୍ର ତିନି ମାସ ମଧ୍ୟରେ ସାର ବିଭାଗ ସାର ସବସିଡି ଦ୍ୱିଗୁଣିତ କରିବାକୁ ଅନୁରୋଧ କରିଛି । ଆମେ ଆମଦାନୀ ହ୍ରାସ କରିବା ପାଇଁ ଘରୋଇ କ୍ଷମତା ବୃଦ୍ଧି କରୁଛୁ ।” ଆଗାମୀ ଦିନରେ ବିଶ୍ୱ ସ୍ତରରେ ମୂଲ୍ୟ ହ୍ରାସ ନେଇ ମଧ୍ୟ ଦେଶ ଆଶା ରଖିନାହିଁ ବୋଲି ସେ କହିଛନ୍ତି ।
ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ତୈଳ ଏବଂ ସାରର ମୂଲ୍ୟ ନିରନ୍ତର ବୃଦ୍ଧି ହେବା ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ସରକାରୀ ରାଜକୋଷ ଉପରେ ପ୍ରଭାବ ପକାଇପାରେ । ଏହା ପୁଣି ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଦେଶ ‘ଏଲ୍ ନିନୋ’ର ସମ୍ମୁଖୀନ ହେବାକୁ ଯାଉଛି, ଯାହା ମରୁଡ଼ିର ଆଶଙ୍କା ସୃଷ୍ଟି କରିଛି ।

